ତୁମ ସିନ୍ଦୂରକୁ ଅବମାନନା କରି
ତୁମ ସିନ୍ଦୂରକୁ ଅବମାନନା କରି
ଶବ୍ଦିତ ଏ ପୃଥିବୀ--
କର୍ଣ୍ଣ-ଗହର ପ୍ରକଂପିତ
ସମୟର ଘୋଷଡା-ଶବଦେ,
ହେଲେ--
ଶବଦ-ହୀନ ମୋ-
ମନର ପୃଥିବୀ....
ମୋ ଆଖିର ପରିଧିରେ,
ସ୍ଥାବର-ବସ୍ତୁ ସବୁ ଅଦୃଶ୍ୟମାନ,
କେବଳ--
ନିର୍ମେଘ-ଦିଗଂତ ଓ-
ମହା-ଶୂନ୍ୟ,...
ମୁଁ ଖୋଜୁଛି ତୁମକୁ ସେଇଠି-
ଯେଉଁଠି ଆକାଶ ଚୁମୁଛି
ମାଟିର ଚିବୁକ..
ହେଲେ ସେଇଠି-
ମୁଁ ଅନାବିଷ୍କୃତ ନିଜଠାରେ,.....
ମୋ ମନ-ଅଗଣାରେ--
ଜମାଟ-ବଂଧା
କୁଢ-କୁଢ ଅନ୍ଧାର,
ଦୂରେ "ଧୂରୁବ ତାରା"
ତୁମ ସିନ୍ଦୂର ଟୋପାଠୁ
ଯୋଜନ-ଦୂରତାରେ-
ଚିକ୍-ମିକ୍
ରୂପା-ବିନ୍ଦି ପରି,
ଅନୂଢା-କୁଆଁରୀ,
ମୋ ସ୍ମୃତିର ଆକାଶେ.....
ସାଉଁଟି ନିଏ ମୁଁ-
ଅଞୁଳି-ଭରି
କୁଆଁରୀ-କିରଣ......
ଇଚ୍ଛା-ହୁଏ-
ଗୋଟାଇ-ଆଣିବି,
ଆକାଶର ଅଗଣାରୁ-
ତାରା-ଫୁଲ ଗୋଟି..
ଅପହଂଚ ତୁମେ,
ଛାୟାପଥ ସେପାରିରେ...
ବିସ୍ମୃତ ମୁଁ,...
ସାୟଂ-କାଳେ ଯେବେ ଅସ୍ତାଚଳେ
ତୁମ-ଭାଲେ ଟୋପାଏ ସିନ୍ଦୂର ଲାଲିମାରେ
ରଞିତ-ଥିଲା ଦିଗବଳୟ ସାରା,
ସତ୍ୟ ସେତ ସିନ୍ଦୂର-ସୂରୁଯ....;;
ରାତିର ମାୟାବିନୀ-
କଳା-ପଣତ ତଳେ,
ଅବମାନନା କରି ସୂରୁଯକୁ,
ସତ୍ୟ ବୋଲି ମଣି "ଧୃବ ତାରା"
ମିଥ୍ୟା ହୋଇ ଯାଏନା-
ତକ-ତକ ଝଟକୁଥିବା,
ତୁମ ଲଲାଟେ ସିନ୍ଦୂର....
ସଂଜ୍ଞା-ସବୁକୁ ଅସ୍ପଷ୍ଟ କରି-
ଅନ୍ଧାର-କାଳିମାରେ,
ପୋଛି-ଦେଇ-
ତୁମ ମଥାରୁ ସିନ୍ଦୂର,
ଅବମାନନା-କରି-
ସକାଳ ସୂରୁଯକୁ,
ଅନ୍ଧାରରେ ହେଉ ପଛେ,
ତୁମେ ମୋ ବିନ୍ଦିଟିଏ-
ମୋ ମନ-ଆକାଶର "ଧୃବ ତାରା".....####