ଗୃହଲକ୍ଷ୍ମୀ
ଗୃହଲକ୍ଷ୍ମୀ
1 min
6.8K
ଅବଳା ଚପଳା କାମିନୀ କୁନ୍ତଳା
କି ଅବା ନିର୍ଭୟା ବାଳା
କମଳା ବିମଳା ଭାମିନୀ ପ୍ରବଳା
ଶ୍ରବଣେ ଦହଇ ଜ୍ବାଳା ।
ଜନନୀ ଭଗିନୀ ମମତା ଦାୟିନୀ
କନ୍ୟା କୁହ ଅବା ଜାୟା
ବିଶେଷଣ ପୁଣି ଯୋଡିଦିଅ ଜାଣି
କାଉଁରୀ ବନ୍ଧନେ ମାୟା ।
ମଥାମଣି ଖଞ୍ଜି ପିନ୍ଧାଇ ପାଉଁଜି
ସୁବର୍ଣ୍ଣ ଶିକୁଳି ବାନ୍ଧି
ପ୍ରତିଶ୍ରୁତି ଭାଜି ଭାବୁଛ କି ଆଜି
ଜୀଇଁ ଥିବ କାନ୍ଦି କାନ୍ଦି ?
ସିନ୍ଦୂର ଅଳତା ଲାଗିଲାଣି ପିତା
ସେ କି ସତ୍ୟଯୁଗ ନାରୀ
ହୋଇ ନିର୍ଯାତିତା ଥାଉଁ ସେ ରକ୍ଷିତା
ନହେବ କି ସ୍ବେଚ୍ଛାଚାରୀ ?
କାହିଁ ସତ୍ୟବ୍ରତ ଦଶରଥ ସୁତ
ଏକପତ୍ନୀ ବ୍ରତଚାରୀ
ଦେଖିଲେ ନିରତ ଭରିଛି ଜଗତ
ଲମ୍ପଟ ସର୍ବତ୍ର ଭାରୀ ।
କେବେ ବିହଗିନୀ କବିର ରାଗିଣୀ
କୁସୁମ ମଞ୍ଜରୀ କଳି
ସାଜି ନିର୍ଝରିଣୀ କୂଳ ଲଂଘି ପୁଣି
ପ୍ରସରିବ ସେହି ଭଳି ।
ଗୁଣରେ ଉତ୍ତମ ଗୃହଲକ୍ଷ୍ମୀ ତୁମ
କାୟ ମନ ବାକ୍ୟେ ସେହି
ସତ୍ୟବାନ ସମ ଚାରିତ୍ରିକ ପ୍ରେମ
ଧାରଣ କରିଲେ କେହି ।
ପ୍ରସନ୍ନ କୁମାର ମାଦଳା