ଗଣତନ୍ତ୍ର ର ମହାପର୍ବ
ଗଣତନ୍ତ୍ର ର ମହାପର୍ବ
କେତେ କୋଳାହଳ କିଚିରିମିଚିରି
ବେଶ୍ ଚଳଚଂଚଳ ମୁକ୍ତାକାଶ
ପଲ୍ଲିରୁ ସହର ବଣରୁ ପାହାଡ
ଟୁପୁରୁ ଟାପର କେତେ ଗୁଂଜରଣ
ଗାଡି ମଟରର ମୁକ୍ତ ବିଚରଣ
ହା' ହୋଲ୍ଲା ,ଭୋଜିଭାତ,ଅଭ୍ୟର୍ଥନା,
ଉଚ୍ଛ୍ବସ୍ବିତ ସମ୍ବର୍ଦ୍ଧନା,ଅଭିନନ୍ଦନ ଓ
ଅଭିବାଦନ ,ପୁଣି ଶବ୍ଦର ଚାତୁରୀ
ନେତା ,ମନ୍ତ୍ରୀ; ଆଉ ଜନପ୍ରତିନିଧି
ଦେଶର ଭାଗ୍ୟ ଓ ଭବିଷ୍ୟ ;
ଜନତା ଜନାର୍ଦ୍ଦନର ତ୍ରାଣକର୍ତ୍ତା
ଖଟିଖିଆ, ମୂଲିଆ ,ମଜଦୁର
ସଭିଏ ସାମିଲ ଏକ ବହଳିଆ ବିଶ୍ବାସରେ
ଗଣତନ୍ତ୍ରର ଏ ରଙ୍ଗିନ୍ ମହାପର୍ବରେ ।।
ସୂର୍ଯୋଦୟରୁ ସୂର୍ଯ୍ୟାସ୍ତ
ଆକୁମାରୀ ହିମାଚଳ
ଧରିତ୍ରୀ ର ଶୁଷ୍କ କଣ୍ଠେ
ଜିନ୍ଦାବାଦ ଓ ମୁର୍ଦ୍ଦାବାଦର ନାରା
ଆତସବାଜିର ପ୍ରକମ୍ପନ,ସାଜସଜ୍ଜା
ତୋରଣ ,ମଣ୍ଡପ ପୁଣି ରାଜରାସ୍ତା
ଉଠୁଛି ପଡୁଛି ଗାଁ ଦାଣ୍ଡ
ମଠ ,ବାଟ ,ବଣ, ବିଲ ,ପାଟ
କେତେ ଚର୍ଚ୍ଚା ତର୍କ ବିତର୍କ
ଆଲୋଚନା , ପର୍ଯ୍ୟାଲୋଚନା
ଆକ୍ରମଣ ଓ ପ୍ରଚିଆକ୍ରମଣ
କେତେବେଳେ କୁରୁକ୍ଷେତ୍ରର ଲେଲିହାନ ଶିଖା ତ
ପୁଣି କେତେବେଳେ ଶାନ୍ତିର ଆଲୋକ ବର୍ତ୍ତିକା
ଗଣତନ୍ତ୍ରର ଏ ମହାନ ମହାପର୍ବରେ ।।
ଛକା ପଂଝା ର ଖିଆଲି ମନଟା
ଆଉଟୁ ପାଉଟୁ ଯାହା ଖାଲି
ଜୟ ପରାଜୟର ଅର୍ଗଳି ଭିତରେ
ଗଣତନ୍ତ୍ର ର ଗୁରୁମନ୍ତ୍ର -
ସାମ୍ୟ ,ମୁକ୍ତି, ମୈତ୍ରୀ, ସମୃଦ୍ଧି
ଓ ଭ୍ରାତୃତ୍ବର ମଧୁର ମହକ ହୁଏ ବାସହରା,
ଛଳନା ଓ ପ୍ରବଂଚନାର
ଚକମକ ଖୋଳପାରେ ବନ୍ଦୀ ହୁଏ
ବଂଚିବାର ଅଧିକାର ,
ଗୁମୁରି ଗୁମୁରି କାନ୍ଦେ ଗଣତନ୍ତ୍ରର ଗଣଅଭିସାର
ରାତିର ନୀରବ ପ୍ରହରେ
କେତେବେଳେ ଫିକାଫିକା ଜହ୍ନ ଆଲୁଅରେ
ପୁଣି କେତେବେଳେ ଗାଢ ଅନ୍ଧକାରେ ।।
ନୋଟ୍ ଉଡେ ଭୋଟ୍ ବଢେ
ସ୍ବପ୍ନମାନେ ଭୂମିକୁ ଛୁଅଁନ୍ତି
ଜହ୍ନ ଓହ୍ଲାଇ ଆସେ ହାତ ପାପୁଲି କୁ
ପାର୍ବଣର ରଙ୍ଗ ଲାଗିଯାଏ
ମନ ,ପ୍ରାଣ ଓ ଶରୀରର ପ୍ରତିଟି ତନ୍ତ୍ରୀରେ
ବିନାମେଘେ ଇନ୍ଦ୍ରଧନୁ ଖେଳୁଥାଏ
ଆକାଶର ଉନ୍ମୁକ୍ତ ଛାତିରେ;
ରାତି ପାହିଯାଏ ସ୍ବପ୍ନ ଭାଙ୍ଗିଯାଏ
ଜହ୍ନ ବି ଲୁଚିଯାଏ
ଲିଭିଯାଏ ସାତରଂଗ ଧୀରେ ଧୀରେ ।।
ଅନ୍ଧକାର ବି ଅନ୍ଧ ହୋଇଯାଏ
ଆଲୋକବି ବେସାହାରା ହୁଏ
ପାର୍ବଣର ଋତୁ ବଦଳିଯାଏ
ବଦଳିଯାଏ ସ୍ବର-ତାଳ-ଲୟ
ଭିଜିଯାଏ ଚଲାପଥ ଡହ ଡହ ମରୁବାଲି
ପୋଷ ପୋଷ ତତଲା ରକ୍ତର ଛିଟାରେ
ଗଡିଯାଏ ମୁଣ୍ଡ ,ଉଜୁଡିଯାଏ ସଂସାର
ପତ୍ରଝଡା ଦିଏ ବୃକ୍ଷ , ପକ୍ଷୀ ଉଡିଯାଏ
ବସା ଦୋହଲୁଥାଏ ଅଦିନ ଝଡରେ;
ସତରେ କେଡେ ହତଭାଗ୍ଯ
ଏ ନିରୀହ ମଣିଷ ହସୁଥାଏ କିରିକିରି
ନିଜ ଲୁହକୁ ନିଜେ ପିଇ ପ୍ରଚି ମୁହୂର୍ତ୍ତରେ ,
ତଥାପି ଅପେକ୍ଷା କରେ ପୁଣି ପାଂଚ ବର୍ଷ
କାଳେ କିଛି ବଦଳି ଯିବ ବୋଲି
ଗଣତନ୍ତ୍ରର ଭିନ୍ନ ଏକ ମହାର୍ଘ ମହାପର୍ବରେ ।।
ଶରତ କୁମାର ଦାସ