ମା ପାଇଁ ଶବ୍ଦ ଖୋଜା
ମା ପାଇଁ ଶବ୍ଦ ଖୋଜା
ଇଏ କବିତା ହେବ ନା ଆରାଧନା
ନା ସ୍ତୁତି
ଘଣ୍ଟାଏ
ଭାବିବା
ପରେ
ବି
ଶବ୍ଦଟିଏ କାହିଁ ?
ଏବେ ବି ସେଇ ଖଣ୍ଡି ଉଡା
ସେହି ଅସହାୟତା ।
ଖାଲି ମୋ ଭାବନା
କଣ କବିତା ?
ଏୟାରପୋର୍ଟରେ
ସବୁ ସିନିୟର ସିଟିଜେନଙ୍କ ପରି
ହୁଇଲ ଚେୟାରରେ ବସିଥାଆନ୍ତୁ
ଆଉ ଫ୍ରାଙ୍କଫର୍ଟର ଗୋରୀ ପରିଚାରିକା କିଏ
ତତେ ନେଇ ଛାଡ଼ିଥାନ୍ତା
ପ୍ରସ୍ଥାନ ଦ୍ୱାର ପାଖରେ
ଏ ଯେଉଁ ଟୁରିଷ୍ଟ ବସ୍
ସେଠି ଯେଉଁ ଚାଇନିଜ, ଆମେରିକାନ
ଆଉ ଅନ୍ୟ ଭାରତୀୟ ବସିଛନ୍ତି
ସେମାନଙ୍କ ମେଳରେ
ଗୋଟିଏ ସିଟରେ ବସିଥାନ୍ତୁ
କହି ଥାଆନ୍ତୁ ଯାଇ ଗାଁଆରେ
ଏ ରାଇଜ କଥା
ଡେଙ୍ଗା ଡେଙ୍ଗା ଗୋରା ଲୋକ
ନାଏଗ୍ରା ଜଳପ୍ରପାତ
ଆଉ କେମିତି
ସକାଳୁ କାଉଙ୍କ କା କା ନାହିଁ ଏଠି
ଏ ରାଇଜରେ ବି ରୁଚି ନ ଥାନ୍ତା କିଛି
ଚୁଡା ଧୋଇ ଖାଇଥାନ୍ତୁ
ସବୁବେଳ ଅଣ୍ଟାରେ
ଲେମ୍ବୁଟିଏ ଖୋସି ରଖିଥାନ୍ତୁ
ବାନ୍ତିରୁ ବଞ୍ଚିବାକୁ
କିନ୍ତୁ ଫେରି ଯାଇ କହି ଥାଆନ୍ତୁ
ଏଠିକାର ଖାଇବା ପିଇବା
ବଡ ବଡ ପିଜ଼ାର
ଭାରତୀୟ ମୁଦ୍ରାରେ ଦାମ କେତେ
ଯେମିତି ଗାଧୁଆ ତୁଠରେ କେବେ
ଗାଁ ମାଇପେ ଙ୍କୁ ଦେଖାଇ ଥିଲୁ
ପୁଅ ଦେଇଥିବା କାନଫୁଲ
ଆଉ ପ୍ରଥମ ସମ୍ବଲପୁରୀ ଶାଢ଼ୀ
ତୁ ପାଦ ଚାଲି କୋଶେ ବାଟ
ମନ୍ଦିର ଯାଉଥିଲୁ
ତା ଆଗେ ନିରର୍ଥକ
ଛିଃ ମୋର ଏ ଲମ୍ବା କାର୍ !
ମୁଁ ଜାଣିନିି ତୋ ଆତ୍ମା
କେମିତି ଛାଇ ହୋଇ ଆସିଥିବ
ମୋ ସାଥେ
ଏ ମୂଲକକୁ
କେମିତି ଜାଣିବୁ
ତୁ ଛାଡି ଯାଇଥିବା
ତୋ ଖଣ୍ଡି ଉଡା ଚଢେଇ କିପରି
ଆଟଲାଣ୍ଟିକ ମହାସାଗର ଉପରେ
ଏଗାର କିଲୋମିଟର ଉଞ୍ଚା
ଆକାଶର ପତଳା ଇଥର ଦେଇ
ଉଡି ଆସିଛି ଏଠିକି
ଯେଉଁଠିକୁ ରାମଚନ୍ଦ୍ର ବି
ଆସି ନ ଥିବେ ସ୍ୱପ୍ନରେ
- ଏଠି ଗୁଣ୍ଡୁଚି ମୂଷା ପିଠିରେ
ଆଙ୍ଗୁଳିର ଗାର ନାହିଁ
ଏଠି ଜଳପ୍ରପାତର
ଘୋ ଘୋ ଶବ୍ଦ ଭିତରେ
ହଜି ଯାଉଛି ମାଆ ମାଆ ଡାକ
ଆଉ କେବେ ପାଣି ପଥର ସହ ମିଶି
ତିଆରି କରୁଛି
କରୁଣାର ଇନ୍ଦ୍ରଧନୁଟିଏ
ଯିଏ ମିଳେଇ ଯାଉଛି
ଟିକିଏ ହସ ଖେଳେଇ ଦେଇ
ମୋ ମୁହଁରେ
କବିତା ହୋଇଗଲା ?
ଏ ସବୁ ତ
ଏଣୁ ତେଣୁ ଭାବନା
ମୁଁ ବାଆଁରେଇ ହେଉଛି ଯାହା
କବିତା ଆଳରେ
ବୋଉ ଲୋ !
ମତେ ଲୋଡ଼ା ନାହିଁ
ସୁଶୋଭିତ କାନ୍ଥ
ତା ଚାରୁଚିତ୍ର ଭରା ପ୍ରାଚୀର
ଖାଲି ଚିହ୍ନେଇ ଦେ ଆସି
ସେହି ମନ୍ଦିରର ମୂଳ ପଥରକୁ
ଯାହା ଉପରେ ଦିଅଁ ବସିଛନ୍ତି
ଆଉ କହି ଦେ ଆସି
ତୋ କଥା ଲେଖିବାକୁ
ସେହି ଶବ୍ଦ ଚାରୋଟି କଣ
ଯାହା ମୁଁ ପାଉନି