ମାଟିର ମମତା
ମାଟିର ମମତା
ସେଥରକ ପରି ଏଥର ବି ଭାରି
ଅଥୟ ଲାଗିଲା ମୋତେ ,
ଅବସର ପରେ ଗାଆଁ ମାଟି ପରେ
ରହି କି ପାରିବି ସତେ ।
ଗାଡିରୁ ଓହ୍ଲାଇ ରହିଲି ଅନାଇ
ଉଦୁ ଉଦୁ ଖରାବେଳେ ,
ରାମ ଦାମ କେହି ନେବେ ବୋଲି ବୋହି
ବୋକଚା ମୋ ଶ୍ରଦ୍ଧା ବଳେ ।
ନିରାଶିଲି ମୁହିଁ ହୋଇ ଧଇଁସଇଁ
ଏକାକୀ ଉଠାଇ ଭାର ,
ଛୋଟା ବିଶୁ ଧାଇଁ ଆସି ବୋଲେ ନଇଁ
କକା ହେ କଲି ଜୁହାର ।
ଭଲମନ୍ଦ ମୋର ପଚାରି ସେ କର
ବଢାଇଲା ଝୋଲା ପାଇଁ ,
ଯେନ ତେନ ମତେ ଚାଲିଲି ତୁରିତେ
ପ୍ରବେଶିଲି ଘରେ ଯାଇ ।
ଯାହା ମୁଁ ଦେଖିଲି ଯାଇଛି ବଦଳି
ଶୁଖା ଶୁଖା ଗାଆଁ ଦାଣ୍ଡ ,
ଗାଆଁ ଭେଣ୍ଡା ଦଳେ ମାତି ଜୁଆ ଖେଳେ
ପଞ୍ଚାୟତ ଦ୍ବାରେ ରୁଣ୍ଡ ।
ନଈକୁ ଶୁଖିଲା ଦେଖି ଶୁଖେ ଗଳା
ପବନ ଲାଗେ ଉଦାସ ,
ତୋଟା ବନ ମାଳେ ପକ୍ଷୀଙ୍କର ମେଳେ
ଶୂନ୍ୟତା ହୁଏ ଆଭାସ ।
ଚାଷ ବିଲ କିଛି ପଡିଆ ପଡିଛି
ଯାଇଛି କେତେ ବଦଳି ,
ସହର ଫେରନ୍ତା ବେକାରର ଚିନ୍ତା
ବିଲ ବିକି ଯିବ ଚଳି ।
ନାହାନ୍ତି ଭିକାରି ଏଡେ ହତଶିରୀ
ନଥିଲା ମୋ ଗାଆଁ କେବେ ,
ଥିଲାବାଲା ଲୋକ ବଦଳାଇ ଭେକ
ଅନୁଦାନେ ଜୀଏଁ ଏବେ ।
ତଥାପି ମୋ ମନେ ରହିଛି ଗୋପନେ
ମାଟିର ମମତା ମାନ ,
କାଳକ୍ରମେ ତାର ହେବ କି ସୁଧାର
ଫେରିବ ଆତମା ପୁଣ ।
ଅବସର ପରେ ରହି ଏ ସହରେ
ପାଇବି ସତରେ କିସ ,
ମୋ ଗାଆଁ ମଶାଣି ସ୍ବର୍ଗଦ୍ବାର ଜାଣି
ଛାଡିବି ଶେଷ ନିଶ୍ବାସ ।
ପ୍ରସନ୍ନ କୁମାର ମାଦଳା