Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Others

2  

Kulamani Sarangi

Others

ପୁରୁଷୋତ୍ତମ ଦେବ(34)

ପୁରୁଷୋତ୍ତମ ଦେବ(34)

2 mins
314


ପୁରୁଷୋତ୍ତମ ଦେବ (34)

(ଐତିହାସିକ କାବ୍ୟାଂଶ)


କାଞ୍ଚିଗଡେ ଯାହା ହେଉଛି ସୁଧୀରେ !

ଦେଇ ଅଳପ ବିରାମ,

ଉତ୍କଳର ସିଂହ ଗୋବିନ୍ଦ ଭଞ୍ଜଙ୍କ

ଆସ ସୁମରିବା ନାମ।


କେଉଁଝର ଗଡ ଯୁବରାଜ ସେ'ଯେ

ବାହୁରେ ବଳ ହସ୍ତୀର,

ଜଗନ୍ନାଥଙ୍କର ପରମ ଭକତ,

ମିତ୍ର ଗଜପତିଙ୍କର।


କେଉଁଝର ଗଡ ନିର୍ମଳ ଆକାଶେ

ଅମଳ ଚନ୍ଦ୍ରମା ସେହି

ଗୋବିନ୍ଦ ଭଞ୍ଜଙ୍କ ନାମ ଶୁଣିଦେଲେ

ଅରାତି ହିଆ କମ୍ପଇ।


କିଛି କାରଣରୁ ପ୍ରାସାଦ ଭିତରେ

ଅମେଳ ହୁଅନ୍ତେ ମନ,

ପୁରସ୍ତମ ଯାତ୍ରାକଲେ କରିବାକୁ

ଜଗନ୍ନାଥ ଦରଶନ।


ଜଗନ୍ନାଥଙ୍କର ଆରାଧନା ପାଇଁ

ନିତି ଯାଆନ୍ତି ମନ୍ଦିରେ,

ଦିନେ ଗଜପତିସଙ୍ଗେ ଭେଟହେଲା

ମନ୍ଦିରର ଗମ୍ଭୀରାରେ।


ଗୋବିନ୍ଦ ଭଞ୍ଜଙ୍କୁ ଦେଖି ଗଜପତି

ହେଲେ ମହା କୃତ୍ୟକୃତ୍ୟ,

କରି କୋଳାଗ୍ରତ ପ୍ରାସାଦେ ଆଣିଲେ

ସମ୍ମାନ ଦେଇ ବହୁତ।


ଆଗରୁ ତ ଶୁଣିଥିଲେ ଗୋବିନ୍ଦଙ୍କ

ବୀରଗାଥା ଗଜପତି,

କହିଲେ "ମୋଠାରେ କୃପାବହି ମିତ୍ର

ହୁଅ ମୋର ସେନାପତି।


ଅରାତି ଦମନେ କାଞ୍ଚି ଅଭିଯାନେ

ଯିବେ ଉତ୍କଳ ବାହିନୀ,

ହୁଅ ସେନାପତି ଆହେ ମହାମତି

ଏତିକି ମୋର ମାଗୁଣି।"


କହିଲେ ଗୋବିନ୍ଦ "ହେ ଉତ୍କଳଚନ୍ଦ୍ର !

ସୌଭାଗ୍ଯ ମୋହର ତାହା,

ଏ ଗୁରୁ ଦାୟିତ୍ବ ପାଳନେ ହେ ମିତ୍ର !

ସାହାହେବେ ଚଉବାହା।


ଉତ୍କଳ ସମ୍ମାନ ଜଗନ୍ନାଥ ମାନ

ଅର୍ଥେ ଢାଳିଦେବି ପ୍ରାଣ,

ଜିଣିନପାରିବି ଯେବେ ମୁଁ ଏ ଯୁଦ୍ଧ,

ନଫେରିବି ,ଏ ମୋ ପଣ।"


ଉତ୍କଳ ବାହିନୀ ଅଗ୍ରେ ସଙ୍ଗେ ସଙ୍ଗେ

ଚଳନ୍ତି ଗୋବିନ୍ଦ ଭଞ୍ଜ,

ସୈନ୍ୟ ସୁଚାଳନା ଦେଖି ସ୍ତବ୍ଧହେଲେ,

ଗଜପତି ମହାରାଜ।


ବିଜୟନଗର କାନନ ନିକଟେ

ଘଟିଲା ଏକ ବିଚିତ୍ର,

ସେନାପତିଙ୍କର ଅଶ୍ୱ ଅଟକିଲା,

ନଚଳିଲା ତୀଳେମାତ୍ର।


ଘୋଡାରୁ ଓହ୍ଲାଇ ଦେଖିଲେ ଗୋବିନ୍ଦ ,

ଅଗ୍ରତେ ବୃକ୍ଷମୂଳରେ,

ଭୁବନମୋହିନୀ ଦୁର୍ଗା 'ମା'ତାରିଣୀ'

ସ୍ଥାପିତ ସେହି ଠାବରେ।


ଶବର ପୂଜାରୀ ଫଳମୂଳଧରି

କରୁଛି ଦେବୀ ପୂଜନ,

ଗୋବିନ୍ଦଙ୍କୁ ଦେଖି ବୋଇଲା ପୂଜାରୀ

ଦେଖିଲି କାଲି ସ୍ୱପନ।


କହିଲେ ମା'ସ୍ୱପ୍ନେ,"କାଞ୍ଚି ଅଭିଯାନେ

ସଇନ ସାମନ୍ତ ଘେନି,

ପହଞ୍ଚିବେ ଏଥି ଶ୍ରୀପୁରୁଷୋତ୍ତମ

ଉତ୍କଳ ମଉଡମଣି।


ଯିବି ତାଙ୍କସଙ୍ଗେ ଯୁଦ୍ଧେ କାଲି ପ୍ରାତେ

ପୂଜା ଅରଚନା ଅନ୍ତେ,

ଯାଇଛନ୍ତି ଆଗେ ଆଗେ ଜଗନ୍ନାଥ,

ବଳରାମ ଯୁଦ୍ଧ ଅର୍ଥେ।


ଶୁଣି ଗୋବିନ୍ଦଙ୍କ ଆଖି ଭିଜିଗଲା

ଆନନ୍ଦ ଅଶ୍ରୁ ପ୍ଳାବନେ,

କରି ଦେବୀପୂଜା ମାତା ତାରିଣୀଙ୍କୁ

ଘେନିଗଲେ ସନମାନେ।


କାଞ୍ଚି ସଂଗ୍ରାମରେ ମହା ବିକ୍ରମରେ

ଲଢୁଥିଲେ ଜଗନ୍ନାଥ,

ପାଇକର ଛଦ୍ମବେଶରେ ସଂଗ୍ରାମ

କରୁଥିଲେ ଜଗନ୍ମାତ।


ଯୁଦ୍ଧ ଅବସାନେ ମେରୁଦଣ୍ଡ ଭାଙ୍ଗି

ଗଲା କାଞ୍ଚି ରାଇଜର,

ଦେବଶକ୍ତି ନେଇ ଲଢୁଥିଲେ ପରା

ଶାର୍ଦ୍ଦୁଳ କେଉଁଝରର !


ଗୋବିନ୍ଦ ଭଞ୍ଜଙ୍କ ବୀର ବିକ୍ରମରେ

ଗଜପତି କୃତ୍ୟ କୃତ୍ୟ,

ବୋଇଲେ "ମୋ କେଉଁଝର ସିଂହପାଇଁ

ଉତ୍କଳ ଆଜି ଗର୍ବିତ ।"


ବାହୁଡା ବିଜେରେ ରାଧା-ରାଧାକାନ୍ତ,

ଗଣେଶ, ମାତା ତାରିଣୀ,

ପୁଣି କାଞ୍ଚିଜେମା ଘେନି ବୀରଦର୍ପେ

ଫେରିଲେ ଉତ୍କଳମଣି।


(ମା ତାରିଣୀଙ୍କ ଉପାଖ୍ଯାନ କିମ୍ବଦନ୍ତୀ ଉପରେ ପର୍ଯ୍ୟବସିତ।ମା କିପରି ଘଟ ଗାଁକୁ ଗଲେ ପରେ ବର୍ଣ୍ଣନା କରାଯିବ।ଏହି ବର୍ଣ୍ଣନାରେ କିଛି ଅସଙ୍ଗତି ଲକ୍ଷକଲେ ବନ୍ଧୁମାନେ ଜଣାଇବେ।ଆବଶ୍ୟକ ସଂଶୋଧନ କରାଯିବ।)


Rate this content
Log in