ଦୁନିଆଁର ଶ୍ରେଷ୍ଠ ବନ୍ଧୁ
ଦୁନିଆଁର ଶ୍ରେଷ୍ଠ ବନ୍ଧୁ
ଦୁନିଆଁର ଶ୍ରେଷ୍ଠ ବନ୍ଧୁ, ସାଥୀ
ସହୋଦର,
ଦାନ କରେ ମନଖୋଲି ସତେ
ସେ କୁବେର।
ମତେ ପାଇ ହୋଇଥିଲା ଦିନେ
ସେହି ମାଆ,
ସେହି ଟିକେ ସୁଖ ପାଇଁ
ଆଜି ସର୍ବଂସହା।
ମାଆ ହୋଇବାକୁ ଯାଇ
ପାଇଥିଲା ସିଏ,
ଯମର ଯନ୍ତ୍ରଣା ଠାରୁ ଦୁଃଖ
ବଳିଯାଏ।
ଜୀବନ ତମାମ ଖାଲି
ଦେଇ ଚାଲିଥାଏ,
ପାଇବାର ଆଶା, ମୋହ
କେବେ ତା ନଥାଏ।
ପିଲା ପାଇଁ କେବେ ତାକୁ
ଭୋକ ତ ଲାଗେନି,
ନିଦ୍ରା ଦେବୀ ତା ଆଖିରୁ
ଉଭେଇ ଗଲେଣି।
ଆଖିଲୁହ ପିଇ ସ୍ନେହ
ବାଣ୍ଟି ଚାଲୁଥାଏ,
ପେଟେ ଓଦା କନା ଦେଇ
ପିଲାକୁ ଖୁଆଏ।
କଣ୍ଟା ଝଣ୍ଟା ମାନେ ନାହିଁ
ତା'ର ପିଲା ପାଇଁ,
ପିଲାର ସୁଖ କେବଳ
ଶେଷ ଇଚ୍ଛା ଥାଇ।
ସ୍ନେହର ଭଣ୍ଡାର ସଦା ତାର
ମୁକୁଳିତ,
ପିଲା ପାଇଁ ତା ପାଖରେ ତୁଛ
ଯେ ସବୁତ।
ବାଘ ମୁହେଁ ନିଜେ ଯାଏ
ପିଲାକୁ ବଞ୍ଚାଏ,
ସବୁ ପୂଣ୍ୟ ତାର ପିଲା ମୁଣ୍ଡରେ
ଅଜାଡି ଦିଏ।
ଅନିଦ୍ରା,ଅନାହାର, କିଛି ବି
ବାଧେନି,
ସୁଖ, ଖୁସି, ଆନନ୍ଦ ସେ କିଛି ବି
ଲୋଡେନି।
ମାଆ ଏକା ସିନା ପିଲା ମନକଥା
ସବୁତ ପାରଇ ଜାଣି,
ଯେତେ ଅପରାଧ ପିଲା କରିଥିଲେ
ତା କୋଳକୁ ନିଏ ଟାଣି।
ପିଲାର ଓଠରୁ ମଧୁର ସ୍ଵରରେ
ମାଆ ଶୁଣିବା ପାଇଁ,
କେତେ ବିଧା ଗୋଇଠା ଚିମୁଡା
କାମୁଡା ଥାଏ ସେ ସହି।
ସେ ତ ଆଉ କେହି ନୁହେଁ
ଆମରି ଜନନୀ,
ଜନନୀ ତ ଗରୀୟସୀ ନାହିଁ କେହି
ତାର ପରି।
ପୂଣ୍ୟମୟୀ ଜନନୀ ସେ
ସ୍ନେହମୟୀ ମାଆ,
ଦୟାର ଭଣ୍ଡାର ତାର
ଅପାର କରୁଣା।
ତା ପାଖରେ ହାରିଯାଏ
ଏ ସାରା ଜଗତ,
ଜଗନ୍ନାଥ ମନ୍ଦିରର ନେତ
ତା ପଣତ।
ସେ ମାଆ ,ସେ ବନ୍ଧୁ,
ପିଲା ପାଇଁ ଜଗତର
ଅଟେ ମହା ସିନ୍ଧୁ।