ଔଦ୍ଧତ୍ୟ,ତୁ ଅଗ୍ନିର ସ୍ଫୁଲିଙ୍ଗ
ଔଦ୍ଧତ୍ୟ,ତୁ ଅଗ୍ନିର ସ୍ଫୁଲିଙ୍ଗ
1 min
221
ଔଦ୍ଧତ୍ୟ, ତୁ ସତେ ଅଗ୍ନିର ସ୍ଫୁଲିଙ୍ଗ
ମାନସିକ ବର୍ବରତା ।
ଭଗ୍ନ କରିଦେଉ ନଗ୍ନତା ପଣରେ
ମଣିଷ ମାନ ସଭ୍ୟତା ।
ସ୍ୱାର୍ଥ ପରତାରେ ସଂଭ୍ରମ ହରାଉ
ବିବେକ ଭ୍ରଷ୍ଟ,ବର୍ବର ।
ଜ୍ଞାନ ହରା ହୋଇ ପଥ ଭ୍ରଷ୍ଟ ହେଉ
ଜଲ୍ହାଦ ପଣେ ଉର୍ବର ।
ସ୍ନିଗ୍ଧତା ସତ୍ୟତା ଆତ୍ମ ଉଦାରତା
ନଷ୍ଟ ଭ୍ରଷ୍ଟ କରିଦେଉ ।
ଉଗ୍ରତା ପଣରେ ଲକ୍ଷ୍ୟ ହରା ହୋଇ
ମଣିଷତ୍ୱ ମାରିଦେଉ ।
କ୍ଷଣିକ କୋପରେ ନିଜେ ଜଳିଯାଉ
ଅନ୍ୟକୁ ବି ଜାଳିଦେଉ ।
ଜାଳି ଜଳି ଶେଷେ ସର୍ବହରା ହୋଇ
ନିଃସଙ୍ଗ ପାଲଟି ଯାଉ ।
ସତ୍ୟ,ଶାନ୍ତି,ଦୟା,କ୍ଷମା ଆଚରଣ
ଦୂରେଇ ଦୂରେଇ ଯାଏ ।
ମଣିଷ ରୂପଟି ଅମଣିଷ ପଣେ
ଭାଙ୍ଗି ଚୁର୍ମାର ହୁଏ ।
ତୋ'ଧୂଆଁ ବାଣରେ ଚନ୍ଦନ ବଣରେ
ମଶାଣିରେ ଲାଗେ ନିଆଁ ।
ସର୍ପ ଦଂଶନଠୁ ଅଧିକ ବିଷାକ୍ତ
ହୋଇଯାଏ ଏ ଦୁନିଆଁ ।
ନିରୀହ ନମ୍ରତା ବ୍ୟଥାରେ ବ୍ୟଥାରେ
ସନ୍ତ୍ରାସ, ଲଜ୍ଜିତ ହୁଏ ।
ତୋ' ଉଦ୍ଧାମତାର ସକ୍ରିୟ ଶୀକାର
ଅପଲକେ ହୋଇଯାଏ ।
ହେ ଔଦ୍ଧତ୍ୟ,ତୁହି ଥମିଯା' ଶଙ୍କିଯା'
ସୀମାରେ ସୀମାରେ ରୁହ ।
ଶୈଶବ ପଣରେ ସମୀଚୀନ ରହି
ବଦାନ୍ୟ ଭାସ୍ୱର ହୁଅ ।
ବିଧାତା ଆଖିରେ କ୍ଷମାର ନିର୍ଝର
ତୋ'ପାଇଁ ବି ଝରିଯିବ ।
ନମ୍ରତା ପଣର ନିଆରା ଲକ୍ଷଣ
ହୋଇପାରେ ଆବିର୍ଭାବ ।