ଚନ୍ଦ୍ରଭାଗା,ତୁମେ ସ୍ୱାଭିମାନୀ
ଚନ୍ଦ୍ରଭାଗା,ତୁମେ ସ୍ୱାଭିମାନୀ
1 min
5.2K
ହେ ଚନ୍ଦ୍ରଭାଗା !
ତୁମେ ହଜିଗଲ
ଆକସ୍ମିକ ଆକ୍ରମଣେ ।
ସେଇ ଆକ୍ରମଣ
ଆଉ କା'ନଥିଲା
ଥିଲା ସମୟର ଜାଣେ ।
ସମୟ କହିଲା
ଚନ୍ଦ୍ରଭାଗା ତା'ର
ହେଲି ନିଜେ ନିରୁପାୟ ।
ରହିଲି ନୀରବ
କିଛି କ୍ଷଣ ପାଇଁ
ହେଲି ନି ମୁଁ ହତୋତ୍ସାହ ।
ଖୋଜିଲି ଖୋଜିଲି
ହଜିଲି ହଜିଲି
ଭାବିଲି ଭାବିଲି କେତେ ।
ଡାକିଲି,ଡାକିଲି
ସ୍ୱପ୍ନିଲି,ସ୍ୱପ୍ନିଲି
ଜାଣିଲି ମୋ ନିଜ ମତେ ।
ତୁମେ ହଜି ନାହଁ,
ତୁମେ ଲିଭି ନାହଁ,
ତୁମେ ପରମ୍ପରା ଦାସୀ ।
କାହିଁକି ତୁମକୁ
ଦେବି ମୁଁ ଶିକୁଳି
ଭାବି ମୋ' ମନ ମାନସୀ !
ଚନ୍ଦ୍ରଭାଗା,ତୁମେ
ବଞ୍ଚି ରୁହ ତୁମ
ଚନ୍ଦ୍ର ମଉଳି ଆଶାରେ ।
ଅନୁମତି ଦିଅ
ହଜିବି ହଜିବି
ମଜ୍ଜିବି ମୁଁ ତୁମ ସୁରେ ।
ନରମି ନରମି
ସକାଳ ସୁରୂଜ
ତୁମରି ଗଭାରେ ଫୁଟୁ ।
ସୁନେଲି ଓଢଣୀ
ମଣ୍ଡୁ ତୁମ ବେଣୀ
ପ୍ରକୃତି ରାଣୀ ଚହଟୁ ।
ଭଗ୍ନ କୋଣାର୍କର
ଜୀର୍ଣ୍ଣ ବିମ୍ବ ଦେଖି
ହୁଅ ନାଇଁ ହୀନିମାନୀ ।
ଏବେ ବି ଆମରି
ତୁମେ ସ୍ୱାଭିମାନ
ନିଜେ ତୁମେ ସ୍ୱାଭିମାନୀ ।
ତୁମ ଲୁହ ତୁମେ
ସାଇତି ରଖିଥା
ତୁମ ଦୁଇ ନୟନରେ ।
ମୋ'ଲୁହକୁ ମୋର
ତର୍ପଣ କରିବି
ନୂତନ ଭାର୍ଗବୀ ନୀରେ ।
ତୁମେ ସେ ଭାର୍ଗବୀ,
ଯୋଗିନୀ ଜାହ୍ନବୀ
ଗଙ୍ଗା ଠାରୁ ଗରିୟସୀ ।
ବଞ୍ଚି ରହିଥାଅ
ବଞ୍ଚାଇକି ରୁହ
ପୁଣ୍ୟତୋୟା ପ୍ରେୟସୀ ।
ହେ ଭଗ୍ନ କୋଣାର୍କ
ଥରେ ଚାହିଁ ଦେଖ
ଚନ୍ଦ୍ରଭାଗା ନୟନକୁ ।
ଗର୍ଜୁଛି ଜର୍ଜରେ
ନିର୍ମମ ପ୍ରହାରେ
ଫେରିନି ସେ ତା'ପଛକୁ ।
ଚନ୍ଦ୍ରଭାଗା ହୀନ
ଅର୍କ କ୍ଷେତ୍ର କାହିଁ !
କାହିଁ ଉତ୍କଳ ଗୌରବ ?
ଉଭୟଙ୍କୁ ମୋର
କୋଟି ନମସ୍କାର
ହେ ମୋର ମାଟି ସୌରଭ !