ଅନୁତପ୍ତ
ଅନୁତପ୍ତ
ଅଭିଶପ୍ତ ମୋର ଜୀବନ,
ଅଦୃଶ୍ୟ ମୋ ଜୀବନ ଭାଗ୍ୟରେଖା
ତା'ସଙ୍ଗେ ଜଡିତ ଅଭିଶପ୍ତ ଏକ ରାଜସିଂହାସନ ରକ୍ଷା।
ଘୃଣିତ ଗନ୍ଧର୍ବ ସ୍ବର୍ଗର;
ଦଣ୍ଡିତ ଏକ ଅଧର୍ତବ୍ୟ ପାପ,
ମର୍ତ୍ୟରେ ଭୋଗୁଛି ନର୍କର ଯନ୍ତ୍ରଣା,
ଗଳାରେ ମୋ ନାଗସାପ।
ନିଜ ଅଧିକାର ନିଜେ ମୁଁ ହରାଇ ଜଗିଛି ଯେ ସିଂହାସନ,
ଲାଗିଛି ତାପାଇଁ ଯୁଦ୍ଧ,
ରକ୍ତପାତ,
କ୍ଷତ ବିକ୍ଷତ ମୋ ମନ।
କର୍ତବ୍ୟ ସର୍ପର ଗଳାରେ ଚୁଚୁନ୍ଦ୍ରା ଅଟକି ଯାଇଛି ଯାହା,
ନଯାଏ ଭିତରେ ନଆସେ ବାହାରେ କି ଅସହାୟତା ଆହା!
ଭାବୁଛି କେମିତି ଅବାସ୍ତବ ଧୃତି ଯାବୁଡି ଧରିଲା ମତେ,
ବୁଡିଯାଉଥିବା ସୂର୍ଯ୍ୟକୁ ଧରିବା କେତେ ଅସମ୍ଭବ ସତେ!
ରକ୍ତପଥଗାମୀ ମୋ ସଂସ୍କାର;
ଗଗନରେ ବଜ୍ରଘଡଘଡି,
ରକ୍ତାକ୍ତ ଚଞ୍ଚୁରେ,
ରକ୍ତାଭନେତ୍ରରେ କାଳଶ୍ବେନ ଆସେ ମାଡି।
କି ଲାଭ ମିଳିଲା ସତେ କ୍ଷଣଚିନ୍ତ ଏକ ଭୀଷ୍ମ ପ୍ରତିଜ୍ଞାରୁ?
ଧର୍ମନାମେ ଶୋଲପାହାଡେ ସ୍ଥିତ ମୁଁ ଶୀରେ ମୋ ଅଧର୍ମ ମେରୁ।
କୂଳବୃଦ୍ଧହୋଇ ଜଗିଲେ କିହେବ ଅନୀତି ଟେକିଛି ଧ୍ବଜା,
କୂଳବଧୂ ହେଲେ ବାରନାରୀ,
ବର୍ଣ୍ଣସଙ୍କର ସାଜିଲେ ରାଜା।