ଟିକିଏ ବିନତି
ଟିକିଏ ବିନତି
ଅଙ୍ଗୁଷ୍ଠି ପ୍ରମାଣ ରୂପକୁ ଧାରଣ
କରିଥିଲ ମାୟା କରି
ବୁଡାଇ ଶୟଳ ସାତତାଳ ଜଳ
ଛୁଇଁଲା ଗଗନ ସରି ।
ଅଥଳ ଅତଳେ ପ୍ରଳୟ ସଲିଳେ
ଓଷ୍ଠରେ ଅଙ୍ଗୁଷ୍ଠି ଭରି
ବଟପତ୍ରେ ଶୋଇ ଅନ୍ଧାର ଘୋଟାଇ
କି କାରଣେ ଥିଲ ହରି ?
ହେଉ ଭାସମାନ କଲ ଉଦ୍ଧାରଣ
ମାର୍କଣ୍ଡଙ୍କ କର ଧରି
ତଦନ୍ତରେ ଋଷି ନାଭିଚକ୍ରେ ପଶି
ଦେଖିଥିଲେ ପୂର୍ବ ପରି ।
ଭାବରେ ଆହ୍ଲାଦ ଟିକି ପ୍ରହଲ୍ଲାଦ
ଡାକିଲା ବିଶ୍ଵାସେ ଚଳି
ସ୍ତମ୍ଭରୁ ବାହାରି ହିରଣ୍ୟକୁ ମାରି
ରଖିଲ ଭକତ ଅଳି ।
ଟିକି ଅବତାରେ ବାମନ ରୂପରେ
ପେଷିଲ ପାତାଳେ ବଳି
ସେ ରୂପ ମହିମା ଦେବାକୁ ଉପମା
କିଏ ବା ପାରିବ କଳି ।
ଟିକିପିଲା ଧ୍ରୂବ ଯୋଡିଥିଲା ଭାବ
ଉତ୍ତାନପାଦଠୁଁ ଗଳି
ଅନ୍ତରୀକ୍ଷେ ଥାନ କରିଲ ବିଧାନ
ସତ୍ୟପଣେ ତାର ଢଳି ।
ତୁମେ ପରା ସେହି ଟିକିପିଲା ରହି
ସୁବର୍ଣ୍ଣ ଚାନ୍ଦୁଆ ତଳେ
ରତନ ଖଟୁଲି ଉପରେ ତ ଝୁଲି
କ୍ଷୀର ପିଉଥିଲ ବଳେ ।
ଯଶୋମତୀ କୋଳେ ବଢି ପ୍ରୀତି ଭୋଳେ
ଦୈତ୍ୟଙ୍କ କ୍ରୁରତା ଫଳେ
ଗୋଟିଗୋଟି କରି ଅସୁରଙ୍କୁ ଧରି
ମାରିଥିଲ କଉଶଳେ ।
ମାମୁଁ କଂସରାଟ ଉତ୍ପାତ ବିକଟ
କଲା ବୋଲି ସିନା ଖଳେ
ଟିକି ରୂପ ଦେଖି ନିମିଷେ ଚମକି
ମଞ୍ଚାରୁ ତଳକୁ ଟଳେ ।
ବଳାଇଛି ମତି ଟିକିଏ ବିନତି
ଟିକି ପିଲାଙ୍କର ପାଇଁ
ଘୋର କଳି କାଳେ ବାଲ୍ୟ ବୋଧ ଆଳେ
କରୁଣା ରଖିବ ସାଇଁ ।
ପ୍ରସନ୍ନ କୁମାର ମାଦଳା