କହଇ ମନ ଆରେ
କହଇ ମନ ଆରେ
● କହଇ ମନ ଆରେ
କିଏ ଜାଣିଛ କୁହ ତ..
ଯାହା ମୋର ନଥିଲା କେବେ
କେମିତି ଦେଇପାରନ୍ତି ଅନ୍ୟ କାହା ହାତେ ?
ମୋ ଭିତରକୁ ପଶି ଦେଖ
ଏଠି ଯାହା ଦେଖୁଛ
ଶୂନ୍ୟରେ ଡିଣ୍ଡିମ ଛଡା କିଛି ନୁହଁ
ମୁଁ ନିଜେ ତ ନିଜର ନୁହଁ , ନିଃସ୍ବ ଜଣେ ।
ମୁଁ ତ ଅବୋଧ ଥିଲି , ଭଲ ଥିଲା
କିଏ ଶିଖାଇଲା ସେଦିନ
ଏ ଦେହ ଖଣ୍ଡିକ ମୁଁ ବୋଲି
ଆଉ ପରିପାର୍ଶ୍ବର ଲୋକଙ୍କୁ ମୋର ବୋଲି ?
ମୁଁ ମୋର ଆମର..
ଏ ଚକ୍ରବ୍ୟୂହରେ ଧନ୍ଦି ହେବା ପାଇଁ
ଯାହା ବି ବଢାଇ ଦେଉଥିଲି ଅଜାଣତେ
ନଦେବା ବା ଫେରାଇ ଆଣିବା ଚେଷ୍ଟା କଲି
ଅଥବା ବଦଳରେ ପ୍ରତିଦାନ ମାଗିଲି ।
ବିଦ୍ୟା ବୋଲି ଅବିଦ୍ୟା ସିନା ଶିଖିଲି
ଦେହଭୋଗକୁ ପ୍ରେମ ବୋଲି ଜାଣି
ବାଛିନେଲି ସାଥିଟିଏ...
ରୂପର ବଜାରରେ ଯୋଗ୍ୟତା ସାଉଁଟି
ଘରବାଡି ଦିଆନିଆ ବେଭାର
କୁଳ ଜାତି ଧର୍ମ ପରଖି ନେବା ପରେ ,
ଇସ୍ ଏ କି କଲି ?
ସେଇଠୁ ଚାଲିଛି ଯେ ଚାଲିଛି
ଠିକଣା ନଥିବା ଘର ଭିତରକୁ ପୁଣି ବାହାରକୁ
ଫୁରସତ ପାଇଲିନି ପଛକୁ ଦେଖିବାକୁ
ଅବୋଧରୁ ଉଠି ସବୁ ଜାଣିଗଲା ଭଳି ।
ଏ ଘର ପିଲାଝିଲା ଦିଅଁଦେବତା
ସବୁ ମୋର ମୋର କହି
ବାନ୍ଧି ହୋଇଗଲି ନା ମାୟାଫାଶରେ !
ତ୍ୟାଗ ଆଉ ବଳିଦାନର ପରିଭାଷା
ଏମିତି ବୁଝାଇ ଦେଲ ଯେ
ରକ୍ତକୁ ପାଣି ଫଟେଇ ସବୁ ପାଶୋରିଲି
ଅର୍ଜନ ପରେ ସଞ୍ଚୟ କରିବା ନିଶାରେ
ନିଜର ବି ପର ଲାଗିଲେ
କେବେ କେବେ ମିତ୍ର ବି ଶତ୍ରୁ ହୋଇଗଲେ ।
ଏବେ କିନ୍ତୁ ବେଳ ସରିଯାଉଥିବା
ନିଶ୍ଚିତ ଜାଣି ...
ଭାରି ଭଲ ଲାଗେ , ଏ ସଞ୍ଜବେଳେ
ନୀଡବାହୁଡା ପକ୍ଷୀଟିଏ ପରି
କୋଳାହଳ ଛାଡି ନୀରବରେ ଶୁଣିବାକୁ
"କହଇ ମନ ଆରେ ମୋ ବୋଲ କର...
ଗଲେଣି ତୋ ସଙ୍ଗତୁ ଯେତକ ଜନ
ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନ ।"
ଏବେ ତ ଆକାଶର ଅସୀମତା
ଆଉ ସେପାରିର ବୈଭବତା ଫୁଟିଲାଣି
ଜଳଜଳ ହୋଇ ଆଖି ଆଗରେ ।
ପ୍ରସନ୍ନ କୁମାର ମାଦଳା