ପିତା ଈଶ୍ୱର
ପିତା ଈଶ୍ୱର
ଛୋଟବେଳେ ପିଲା ଚାଲିବା ଶିଖଇ
ବାପାଙ୍କର ହାତ ଧରି
ସେହି ବାପା ଯେବେ ବୃଦ୍ଧା ହୋଇଯାଏ
ସନ୍ତାନ ସାଜଇ ସିରି ।
ପିତାଙ୍କର ଋଣ କିଏ ସେ ସୁଝିଛି
ପରିବକି ସୁଝି କୁହ
କିଏସେ କହିବ ସନ୍ତାନ ସୁଖରେ
କେତେ ସେ ପିଅନ୍ତି ଲୁହ ।
ଉପରକୁ ଫିଙ୍ଗି ଖେଳୁଥିଲେ ପିତା
ପିଲାଟି ଯାଏନି ଡରି
ଆହୁରି ଖୁସିରେ ହସୁଥାଏ ସିଏ
କିସୁନ୍ଦର କିରି କିରି ।
ଜାଣିଥାଏ ସିଏ ପିତା ଥାଉଁ ଥାଉଁ
ଯିବନାହିଁ ନାହଁ ତଳେ
ନିଶ୍ଚିନ୍ତରେ ଥାଏ ସ୍ଥାନ ସେ ପାଇବ
ପିତାଙ୍କର ପୁଣ୍ୟ କୋଳେ ।
ସବୁରି କୋହକୁ ଛାତିରେ ଚାପିକି
ସନ୍ତାନକୁ ଖୁସି ଦିଏ
ବୃଦ୍ଧା ଅଵସ୍ଥାରେ ସନ୍ତାନ ସେବାଟା
ପାଇବାକୁ ଆଶା ଥାଏ ।
ପିଲାବେଳେ ଯଦି ତୁମ ପିତାମାତା
ଛାଡ଼ନ୍ତିନି ଶିଶୁଶ୍ରମେ
କେମିତି ଭାବୁଛ ସେମାନଙ୍କୁ ତୁମେ
ରଖିବାକୁ ବୃଦ୍ଧାଶ୍ରମେ ।
ତୁମ ପରଶରେ ଜୀବନ ତାଙ୍କର
ଖୁସିରେ ଯେ ସରିଯିବ
ବୃଦ୍ଧାଶ୍ରମ କଥା ଭାବିଲେ ସେମାନେ
ଆତ୍ମା ତାଙ୍କ ଛାଡିଯିବ ।
ଛାଡିଦିଅ ନାହିଁ ହାତକୁ ତାଙ୍କର
ତାଙ୍କ ଶେଷ ଅବସ୍ଥାରେ
ସେମାନେ ଅଟନ୍ତି ଆମରି ଈଶ୍ୱର
ଆମ ଘର ମନ୍ଦିରରେ ।
ତାଙ୍କରି ସେବାରେ ଦିନ କଟିଯାଉ
ସେହିତ ମହତ କାମ
ଆମ ତୁଣ୍ଡେ ସଦା ରହି ଯାଇଥାଉ
ପିତା ମାତାଙ୍କର ନାମ ।