ବର୍ଷାରେ ବିଳାପ
ବର୍ଷାରେ ବିଳାପ
ବର୍ଷାରେ ବିଳାପ
ଦିନ ବିତି ସଞ୍ଜ ଆସେ ନିଶା ଗତେ ପୁନଶ୍ଚ ପ୍ରତ୍ୟୁଷ
ଦଣ୍ଡ ସାଥେ ଘଡି ଜଳେ ସରିଯାଏ ପ୍ରଦୀପ ଆୟୁଷ
ବିରହ ପଲକ ତଳେ ଲିଭେ ଫିକା କାମିନୀ କଜଳ
ମେଘର ମିଛ ଉଲ୍ଲାସେ ମରମର ଅନଳ ଶୀତଳ ।
ତଥାପି ଦେଖି ମେଘର ଅଭିସାର ଲୁଚିଗଲେ ଜହ୍ନ
ଆହୁରି ଅଧିକେ କରେ ହନ୍ତସନ୍ତ ନିଆଁ ଲଗା ମନ
ଚରିତ୍ରର ଚିତ୍ର ଦେଖେ ଜୀବନର କ୍ଷୀଣ ମଧ୍ୟାନ୍ତରେ
ଆଉ ଏକ ଅଙ୍କ ଅବା ବାକିଅଛି ଶେଷ ନାଟକରେ ।
ଉତ୍କର୍ଷଟା ଲେଖାଥିଲା ଯେଣୁ ଏକ ପ୍ରବଳ ବିରହେ
ଭିଜାମାଟି କୁକ୍ଷି ଚିରି ମଣ୍ଡୁକ କି ସାଥିନୀ ଆରୋହେ
ଡେଣା ଝାଡି ନଦୀ କୂଳେ ବହିଗଲେ ଆଷାଢ ପବନ
ଲିଭି କି ପାରିବ ଏହି ବର୍ଷା ଧାରେ ଆତ୍ମାର ଦହନ ।
ଶୁଭଇ ଜୀମୂତ ତୁଣ୍ଡେ ରିମ୍ ଝିମ୍ ମନ୍ତ୍ରିତ ମନ୍ତ୍ରଣା
ଅସିଦ୍ଧା କାମିନୀ ପ୍ରାଣେ ନିନାଦିତ ଯନ୍ତ୍ରିତ ଯନ୍ତ୍ରଣା
ରୋପିତ ବିଶ୍ୱାସ-ବୀଜ ଏଯାବତ ନହୁଏ ଅଙ୍କୁର
ଅଶ୍ରୁଳ ଉତ୍ତାପ ଥାଉଁ ଘୋଟିଥିଲା କି ଅବା ତିମିର ।
ତପ୍ତ ମରୁ ଦିଶା ହୀନ ଆଜି ଯେହ୍ନେ ବିବିକ୍ତ ଜୀବନ
ତୃଷାତୁର ଜୀବଆତ୍ମା ମରୁଦ୍ୟାନେ ତୋଷିବ ପରାଣ
ସଙ୍ଗତରେ ବର୍ଷାରାଣୀ ଆଣିବ କି ପ୍ରବାସୀ ପ୍ରେମିକ
ଶୁଭେ କିବା ବିରହିଣୀ ହୃଦୟର ବିଳାପ ଅନେକ !!
ପ୍ରସନ୍ନ କୁମାର ମାଦଳା