ନିର୍ବାକ ବିବେକ
ନିର୍ବାକ ବିବେକ
1 min
13K
ଅଛି କାହିଁ ସେଇ ଭାବ,
ଅଛି କାହିଁ ସେଇ ଭକ୍ତି,
କାହିଁ ଗଲା ସେ ମଧୁର ଭାଷା,
ସେଇ ଭାବ ପ୍ରବଣତା ?
ସବୁ ତ ଯାଇଛି ଚାଲି,
ଅଛି ଖାଲି ଭାବ ର ଅଭାବ,
ଭକ୍ତି ସଂକୀର୍ଣ୍ଣତା,
ଭାଷାରେ କଟାକ୍ଷ ଆଉ
ବିବର୍ଣ୍ଣ ସଭ୍ୟତା ।
ଚାରିଆଡେ ଅଛି ଖାଲି
ଶୂନ୍ୟର ଅସ୍ତିତ୍ୱ, ବର୍ବର ଶୂନ୍ୟତା ।
ଅସଂଲଗ୍ନ ଅମାନବିକତା ।
ମମତା ଖୋଜିଲେ ମିଳେ
ମଶାଣିର ଫୁଲ ।
ବନ୍ଧନ ଯୋଡିଲେ ହୁଏ
କଙ୍କର, ଧୂସର ।
ସ୍ବର୍ଣ୍ଣାଭ ଗୋଧୂଳି ନାହିଁ ଆଉ,
ନାହିଁ ସେଇ ସୁନେଲି ସକାଳ ।
ହାହାକାର,ଖାଲି ହାହାକାର ।
ଅବାସ୍ତବ ରକ୍ତିମ ଗୋଲାପ,
ରଙ୍ଗ ଥାଇ ବାସ ହରା,
ବାସ ଥାଇ ବିଷ ଭରା ।
ସବୁ ଥାଇ କିଛି ନାହିଁ,ସତେ
ଏକ ବେବଶ ସାହାରା ।
କପଟ ଓ ଛଳନା ରେ
ଜର୍ଜର ମୁଁ, ସଦ୍ୟ ନିଷ୍ପେସିତ ।
ଆକ୍ରମଣ କରେ ମୋତେ
ଅହର୍ନିଶ ,ପ୍ରତି ଟି ପାଦରେ
ପ୍ରତାରଣା ଆଉ ନିଷ୍ଠୁରତା ।
ତଥାପି ବଞ୍ଚିଛି,
ବଂଚି ମୁଁ ଚାଲିଛି ।
ଚାଲିଥିବି,ବଂଚି ଚାଲିଥିବି ।
ଥିବାଯାଏ ଏ ଦେହରେ
ମାନବୀୟ ଧୂଳି କଣା,
ସତ୍ୟର ପ୍ରବାହ ।
ସାଥି ମୋର ସେଇ
ନିର୍ବିକାର, ନିର୍ଲିପ୍ତତା ।
ନିଃଶୂନ୍ ବେଳାର ସାଥି
ନିର୍ବାକ ବିବେକ ।