ବର୍ଷା ଓ ଶରତ
ବର୍ଷା ଓ ଶରତ
1 min
336
ଅବେଳରେ ଫେରି ଆସିଛି ବରଷା
ଯାଇଥିଲା କେଣେ ରୁଷି
ଭିଜାଇ ଦେବ ସେ ତନୁ ମନ ପ୍ରାଣ
ବାଣ୍ଟିବ କେତେ ଯେ ଖୁସି I
ଶରତ ଆକାଶେ ବାଦଲ ଘୋଟିଛି
ମୁହଁ ଲୁଚାଇଛି ଜହ୍ନ
ସଂଧ୍ୟାର ଓଠରେ ଜହ୍ନିଫୁଲ ହସ
ଉଚ୍ଚାଟିତ କରେ ମନ I
ରଜନୀଗନ୍ଧା ତା ସୁବାସ ବାଣ୍ଟୁଛି
ମନରେ ଜାଳୁଛି ନିଆଁ
କୃପଣ କାହିଁକି ହେଉଛି ବରଷା
ଦିଏନାହିଁ ପ୍ରୀତିଛୁଆଁ I
ଆଖିରେ ଆଖିରେ ସପନ ଭରିଛି
ଅନ୍ତରୁ ଲିଭିଛି କୋହ
ଯେଉଁଆଡେ ଚାହେଁ ସିଆଡେ ଦିଶୁଛି
ବର୍ଷାର ନହୁଲି ମୁହଁ I