ଚିର ସୁନ୍ଦରୀ
ଚିର ସୁନ୍ଦରୀ
ପଦ୍ମଚରଣ ପଟ୍ଟନାୟକ
ନୁହଁ ତୁମ୍ଭେ ପଲକର ପରାଣର ଦ୍ରୋହ ଗୋ,
ନୁହଁ ତୁମ୍ଭେ କ୍ଷଣିକର ଉନ୍ମାଦନା ମୋହ ଗୋ ।
ନୁହଁ ତୁମ୍ଭେ ବସନ୍ତର ମୋହନ ବିଳାସ,
ନୁହଁ ତୁମ୍ଭେ ନନ୍ଦନର ମଳୟ ନିଶ୍ବାସ ।
ନୁହଁ ତ ଶ୍ରାବଣ ଘନେ ଚପଳାର ସରି,
ଶାରଦ ଚନ୍ଦ୍ରିକା ଧୌତ ଗଗନର ପରି ।
ଫୁଲର ସୌରଭ ନୁହଁ ସଙ୍ଗୀତର ତାନ,
ନିଶାର ସ୍ବପନ ନୁହଁ ଯୌବନର ପ୍ରାଣ ।
କୁସୁମ ବନ୍ଧନ ନୁହଁ ଉଷାର ଆଲୋକ,
ଦିନକର ମାୟା ନୁହଁ ନୟନ ପୁଲକ ।
ନୁହଁ ତ ସୌନ୍ଦର୍ଯ୍ୟମୟୀ ମୃଣ୍ମୟୀ ପ୍ରତିମା,
କାଳେ କାଳେ ନ ରାଜିବ ତୁମ୍ଭର ମହିମା ।
ଇନ୍ଦ୍ରିୟର ରୂପ ତୃଷ୍ଣା ପରାଜୟ କରି,
ଅମର ସୌନ୍ଦର୍ଯ୍ୟେ ରାଜ ହେ ଚିର ସୁନ୍ଦରୀ !
ନୟନର କ୍ଷୁଦ୍ର ରାଜ୍ୟ ଲଂଘି କୁତୂହଳେ,
ଆନନ୍ଦେ ବିହର ଆପେ ମାନବ ଅନ୍ତରେ ।
ବିଧି ସୃଷ୍ଟି ଶିଳ୍ପକଳା ପୁରୁଷର ପୂଜା,
ପାଇ ବଡ଼ ଦିନେ ଦିନେ ସୌନ୍ଦର୍ଯ୍ୟ ତନୁଜା ।
ମାନବ ଅନ୍ତରେ ରାଜି ହୁଅ ବିଶ୍ବମୟ,
ଢାଳ ହେ ଅମିୟ କେବେ ଘଟାଅ ପ୍ରଳୟ ।
ପ୍ରଳୟ ପୟୋଧି ଜଳେ ପଦ୍ମରୂପ ଧରି,
ଅଭୟ ଆଶ୍ବାସ ସୁଧା ଦିଅ ବିଶ୍ବଭରି ।
ବାହୁର ବନ୍ଧନ ପାଶ ନୟନ ମିଳନେ,
କି ଅପୂର୍ବ ଲୀଳା ଆଣ ଜଗତ ଜୀବନେ ।
ଶୋଭାର ଶାନ୍ତିର ଦ୍ବାର ଦିଅ ହେ ଫିଟାଇ,
ଜଗତେ ଜଗତଲକ୍ଷ୍ମୀ ଆଣ ହେ ବନ୍ଦାଇ ।
କେତେ କବି, କେତେ ଶିଳ୍ପୀ, କେତେ ଚିତ୍ରକର,
ପଦ ତଳେ ଘେନି ପୂଜାର ସମ୍ଭାର ।
ସମାପ୍ତ