ମୁଁ ନଈଟିଏ
ମୁଁ ନଈଟିଏ
ହଁ.. ହଁ..ମୁଁ ନଈଟିଏ..
ଦୋହଲି ଦୋହଲି
ଦୁଇ କୂଳ ନିତି ଛୁଉଁଥାଏ..
ଯେବେ
ତୁମ ପୁରୁଷତ୍ବର ଆହୁଲା ଆଘାତ
ମୋ ନରମ ଛାତି କୁ ଚିରିଦିଏ..
ସନ୍ତର୍ପଣ ରେ ସନ୍ତରଣ ନାମେ
ଯୌବନ ଜୁଆର ଭାଙ୍ଗୁଥାଏ..
ସେତେବେଳେ
ମୁଁ ନିଃଶବ୍ଦ ହସ ଟେ ହସିଦିଏ..
ହଁ.. ହଁ.. ମୁଁ ନଇ ଟିଏ..
ହଁ..ହଁ.. ମୁଁ ନଈଟିଏ..
କେବେ ଘୂର୍ଣ୍ଣାୟମାନ ଚକ୍ର ବଳୟେ
ପହିଲି ବର୍ଷା ରେ ଝରିଯାଏ..
ଦରଫୁଟା ରବି ନରମ ଚୁମ୍ବନେ
ଇନ୍ଦ୍ରଧନୁ ରଙ୍ଗ ବୋଳିଦିଏ..
ପୁଣି
ମନ ର ଉତ୍ତାଳ ପଦାଘାତେ କେବେ
ନଇ ହେଇ ନିଆଁ ଜାଳିଦିଏ..
ହଁ..ହଁ.. ମୁଁ ନଇ ଟିଏ..
ହଁ.. ହଁ.. ମୁଁ ନଈଟିଏ..
ଅହଂକାରି ତୁମ ପୁରୁଷ ସମାଜ
ମହର୍ଷି ସାଜି
ନିତିଦିନ ଚଳୁରେ ପିଉଥାଏ..
କେବେ ମୋତେ
ପବିତ୍ରତା ଗଙ୍ଗା ନାମ ଦିଏ..
ପୁଣି କେବେ
କୁଢ କୁଢ ଘୃଣା କଳଙ୍କ କାଳିମା
ମୋ ଭିତରେ ଫିଙ୍ଗି
ମୋ ସତୀତ୍ବ ପ୍ରମାଣ ଖୋଜୁ ଥାଏ..
ହଁ.. ହଁ.. ମୁଁ ନଇ ଟିଏ..
ହଁ.. ହଁ.. ମୁଁ ନଈ ଟିଏ..
ତୁମ ଉପଭୋଗ୍ୟ ର ବସ୍ତୁ ଟିଏ..
ଯେ ଭାବେ ନଚାଅ ସେ ଭାବେ ମୁଁ ନାଚେ
ତୁମ ଲୋଲୁପ ନଜରରେ
ନିର୍ଜୀବ ପିତୁଳା କଣ୍ଢେଇ ଟିଏ..
ଖୁବ୍ ସହଜରେ ତୁମେ ଭାଙ୍ଗି ପାର
ମୋ ସୌନ୍ଦର୍ଯ୍ୟର
ଗର୍ବ ଗୌରବ ଲାଜ ସରମ
ଟାଣି ଲକ୍ଷ୍ମଣ ରେଖା ଗାରଟିଏ..
ଖଣ୍ଡିଏ କରଣି
କେଇ ବସ୍ତା ସିମେଣ୍ଟ ଆଉ
କେଇ କଡା ବାଲି ମିଶେଇ
ସେତୁବନ୍ଧ ଯେବେ ତୋଳାଯାଏ..
ଉପହାସ ଆଉ ବିଷାଦରେ
ତୁମ ପାରିଲାପଣ ଦେଖି ମୁଁ ହସୁଥାଏ..
ହଁ.. ହଁ.. ମୁଁ ନଇ ଟିଏ..
ହଁ..ହଁ .. ମୁଁ ନଈ ଟିଏ..
ପବିତ୍ର ପାର୍ବଣ ର ମାର୍ଗ ଟିଏ..
ଚଲା ପଥେ ମୋର
ଶିଳା ର କଣ୍ଟକିତ ଗାଲିଚା
ତଥାପି
ତୁମ ଖୁସିରେ ମୁଁ ଖୁସି ହୁଏ..
ଅହର୍ନିଶି ଖାଲି ବହୁ ଥାଏ..
ତୁମେ କଷ୍ଟ ଦିଅ - ତୃଷ୍ଟ ହୁଅ
ତୁମେ ନଷ୍ଟ କର - ଶିଷ୍ଟ ହୁଅ
କିନ୍ତୁ ମୁଁ
ବୋହିବାର ଧର୍ମକୁ ମାନିନିଏ
ହଁ ହଁ ମୁଁ ନଈଟିଏ ...
×-×-×-×-×-×-×-×