କରୁଣାମୟ ହେ
କରୁଣାମୟ ହେ
କରୁଣାମୟ ହେ କରୁଣାକର ତୁ
ତୋ ହୃଦ କରୁଣା ସାଗର ,
ସେ କରୁଣା ଯାର ହୃଦୟ ପାଇଛି
ହୃଦୟ ହୁଏ ତା ଭାସ୍କର ।
ତୁମ୍ଭ ଲୀଳାଖେଳା କରୁଣାରେ କେତେ
ନିତି ମୁଁ ଭାବୁଛି ଅନ୍ତରେ
ସେ କରୁଣା ପାଇ ଉଲ୍ଲସିତ ହୋଇ
ଜୀବନ ଯାଆନ୍ତା ଅଚିରେ ।
ଲୋଡେ ନାହିଁ ମଣି ମାଣିକ୍ୟର ଖଣି
ଲୋଡେ ମୁହିଁ ଶ୍ରୀ ମୁଖ ବାଣୀ
ସେ ମୁଖ ବାଣୀରେ ଅମୃତ ଆସ୍ଵାଦ
ପିଉଥାନ୍ତି ମୁଁ ସବୁ ଜାଣି ।
ଦୟାକର ଦୟା ମୟ ହେ ଠାକୁର
ନିର୍ଦ୍ଦୟ କାହିଁକି ମୋଠାରେ
ପତିତପାବନ ବୋଲି ତୁମ୍ଭ ନେତ
ଉଡୁଛି ତ ଦୟା ପାଇଁ ରେ ।
ସଂସାରର ସୁଖ ହେଲିଣି ବିମୁଖ
ମାୟା ମରିଚିକା ଦେଖୁଛି
କରିଦିଅ ମୋତେ ନୟନରେ ଶୁଦ୍ଧ
ବୁଝିବି ମୋ ଦୁଃଖ ଯାଉଛି ।
ନିଜ ଆଇନାରେ ଦେଖୁଛି ନିଜକୁ
କେତେ ଅପରାଧ କରିଛି
କେଉଁ ରୂପେ ଦେଲ ଏତେ ଛନ୍ଦ ପ୍ରଭୁ
ଅକୃପା କାରଣ ହେଉଛି ।
ଆକାଶରେ ଜହ୍ନ ଜୋଛନା ଭରିଛ
କହିବ କେକଲା କଳଙ୍କ
ସୂରୁଜ ଉତ୍ତାପେ ଧରଣୀ ଧରିଛ
ପଦ୍ମ ଦଳେ କାହିଁକି ପଙ୍କ ।
ମାୟା ମୋହ ଦେଇ ରହିଛ ଦୂରରେ
ପାରୁନାହିଁ ତୁମକୁ ଜାଣି
ଆତ୍ମାର ଡାକକି ଶୁଭେନା ତୁମକୁ
ବୁଝୁ ନାହିଁ ମୁଁ ତୁମ ଠାଣି ।
ଲୋତକର ସୀମା ବହେ ନିରନ୍ତର ,
ବେଦନା ହୃଦୟ ଅନ୍ତର
ଏତିକି ମାଗୁଣି କରୁଛି ମିନତି ,
ତୋ ଚରଣେ ଗତି ମୋହର ।
ପ୍ରଶାନ୍ତ କୁମାର ହୋତା