କବି ବନାମ୍ କବିତା
କବି ବନାମ୍ କବିତା
1 min
210
କବି ଓ କବିତା ,ପିତା ଓ ବନିତା
ଜଣେ ସୂର୍ଯ୍ୟ ହେଲେ
ଅନ୍ୟଟି କିରଣ ବନ୍ୟା ।
କବି ନୁହେଁ ସତ, ଶକ୍ତିର ଆଧାର
କିନ୍ତୁ,ତା' ହୃଦୟ
ଶୀତଳ ଜହ୍ନ ଜୋଛନା ।
ଜହ୍ନ ଦେହେ ସିନା କଙ୍କର କଳଙ୍କ
ଜୋଛନାରେ ତା'ର
ମୃଦୁ ମଧୁର ପରଶ ।
କବିତା ସେପରି ଅଭ୍ର ଅଭିସାରୀ
ନମ୍ର ନୃତ୍ୟାଙ୍ଗନା
ସାଧନାର ସୁଧା ରସ ।
ସାଗରରେ ସିନା ବାତ୍ୟା ବିପର୍ଯ୍ୟୟ
ସାଗର ଓ ଲକ୍ଷ୍ମୀ
ଜଣେ ପିତା ଜଣେ କନ୍ୟା ।
ଲକ୍ଷ୍ମୀ ସୁଲକ୍ଷଣୀ କବିତା ଦୁଲାରୀ
ଅମ୍ଳାନ ଅପର୍ଣ୍ଣା
ଜଗତରେ ସିଏ ଧନ୍ୟା ।
କବିର କବିତ୍ୱ ବେଦନା ପ୍ରସୂତ
ଝଞ୍ଜାରେ ଝଙ୍କୃତ
ଅମୃତ ମାନସୀ କନ୍ୟା ।
ଭୁବନେ ଭୁବନେ ସପନେ ସପନେ
କଳ୍ପନା ରାଇଜ
ରମ୍ୟ,ରୂପସୀ,ଅନନ୍ୟା ।
କବି ମୁନି କଣ୍ୱ କବିତା ତା'ଭୃଣ
କାବ୍ୟ ଝର ହୋଇ
କବିତା ଶର୍ମିଷ୍ଠା ହୁଏ ।
ମର୍ତ୍ତ୍ୟରେ ଥାଇବି ସ୍ବର୍ଗୀୟ ଚେତନା
ସୁର,ତାଳ, ଲୟେ
ଛନ୍ଦିହୋଇ ବହିଯାଏ ।
ସ୍ବପ୍ନ ରାଇଜର କଳ୍ପ ମାନସରୁ
କଳ୍ପ ବଟ ବୃକ୍ଷ
ପୁଣ୍ୟର ପ୍ରସାଦ ପରି ।
ଶବ୍ଦରେ ଶବ୍ଦରେ ସୁରରେ ସୁରରେ
ରଚି ରଚି ଯାଏ
ସଂସ୍କାର ପାଖୁଡା ଧରି ।
କବି ମହନୀୟ କାବ୍ୟ କମନୀୟ
କବିର କଳ୍ପନା
କବିତାର ରୂପ ନେଇ ।
ଜଣେ ନଈ ହେଲେ ଆନଟି ତା'ସ୍ରୋତ
ବହି ବହି ଯାଏ
କାବ୍ୟର କଲ୍ୟାଣୀ ହୋଇ ।
ହେ କବି,ଅମର ସୃଜନୀ ତୁମର
ଅମ୍ଳାନ ଭାସ୍ୱର
ତୁମରି ବଳିଷ୍ଠ ଲେଖା ।
ଲାଜକୁଳୀ ପରି ନଇଁ ନଇଁ ଚିତ୍ରେ
ନୂଆ ସକାଳର
ଚିରନ୍ତନ ଭାଗ୍ୟରେଖା ।
ମୋ'ପାଇଁ ନମସ୍ୟ,ଯଶସ୍ୱୀ ଅବଶ୍ୟ
କବି ଓ କବିତା
ପ୍ରାଣ,ଆଉ ପ୍ରାଣ ବିନ୍ଦୁ ।
ତାଙ୍କରି ପ୍ରୀତିରେ ତାଙ୍କରି ଭିତ୍ତିରେ
ଜଳିବ ଜଳିବ
ମୋ'ଶେଷ ଜୀବନ ବିନ୍ଦୁ ।