ହେ ପ୍ରଭୁ, ବିଧାନ କରତା
ହେ ପ୍ରଭୁ, ବିଧାନ କରତା
ଜୀବନର ତୃତୀୟ ପାଖୁଡା,
ବିତିଗଲା,
ବିତି ସରିଗଲା ।
ଅବଶିଷ୍ଟ ଚତୁର୍ଥ ସାରଣୀ,
ତୁମଠାରେ,
ସମର୍ପିତ ହେଲା ।
ମନା ନାହିଁ, ସର୍ବାଗ୍ରେ ଈଶ୍ୱର,
ସୃଷ୍ଟିକର୍ତ୍ତା,
ସୃଷ୍ଟିର ନିୟନ୍ତା ।
ମୋ'ପାଇଁକି ତୁମେ ମୋ'ସର୍ବସ୍ବ,
ଜାଣେନା ମୁଁ,
ଯଥା କି ଅଯଥା ।
ତୁମ ପାଇଁ ବାଇଶି ପାହାଚ,
ମୋ'ପାଇଁକି,
ମାତ୍ର ଚାରିଗୋଟି ।
କେଇଟା ମୁହୂର୍ତ୍ତ ଅଛି ବାକି,
ଲୋଡ଼ା ହେବ,
କେଇ ଖଣ୍ଡ କାଠ।
ତୁମ ପାଇଁ ଷାଠିଏ ପଉଟି,
ମୋ' ଉଦରେ,
କ୍ଷୁଧାର ଜ୍ବଳନ ।
ତୁମ ଆଗେ ସଞ୍ଜବତୀ ଜଳେ
ମୋ' ଦୁଆରେ
ଆଲୁଅ ସପନ ।
ନଭଶ୍ଚୁମ୍ବୀ ତୁମ ଶ୍ରୀ ମନ୍ଦିର,
ଚାଳ ଖଣ୍ଡେ,
ମୋ' କପାଳେ କାହିଁ !
ଅଛି ତୁମ ରତ୍ନ ସିଂହାସନ,
ମୋ'ପାଇଁକି,
ଭୁମି ଶେଯ ନାହିଁ ।
ଆହେ ପ୍ରଭୁ,ବିଧାନ କରତା,
ଅଦଭୁତ,
ତୁମରି ବିଧାନ ।
କେତେ କର ପାତର ଅନ୍ତର,
ଜାଣି ଶୁଣି,
ମୁଁ ତୁମ ସନ୍ତାନ ।
କୁହ ତେବେ କିବା ପ୍ରତିଷ୍ଠିତ
ସାମ୍ୟବାଦ,
ମାନବେ ମାନବେ !
ଚାଲିଥାଉ ଉଚ୍ଚ ନୀଚ ପଣ
ବଞ୍ଚେ ମୁହିଁ
ଅଭାବେ ଅଭାବେ ।