କବି ଲେଖନୀର ଫୁଲଟିଏ ମୁହିଁ
କବି ଲେଖନୀର ଫୁଲଟିଏ ମୁହିଁ
1 min
108
କବି ଲେଖନୀର
ଫୁଲ ଟିଏ ମୁହିଁ
ସରମି ଯାଏ ଲେଖାରେ ।
ତା'ହାତ ତୁଳୀର
ମୃଦୁ ପରଶରେ
ନରମି ଛପେ ମନରେ ।
ମଉଳା ହେଲେବି,
ଚନ୍ଦ୍ରମା ମନରେ
ସଜ ଫୁଟା ନୀଳ କଇଁ ।
ଫଟା ବଇଁଶୀ ଟା
ତୁମ ଓଠ ଧାରେ
ଚୁମେ ସାତ ସୁର ଦେଇ ।
ମୋ'କବିତା କୋଳେ
ଫୁଲ ଖାଲି ନୁହଁ
ନୀରବ ଓଠ ଇସାରା ।
ବଉଳ ବାସ୍ନା ବି
ଫିକା ପଡିଯିବ
ପ୍ରୀତି ମହକ ଅସରା ।
ରହିଛ ଗୋ ପ୍ରିୟା
ରହିଥିବ ତୁମେ
ମୋ' ତୁଳୀ,ମୋ'ହୃଦୟରେ ।
ଝାଉଁଳିବାକୁ ମୁଁ
ଦେବି ନାହିଁ କେବେ
ଅଙ୍କ ଅଙ୍କିବି ଆଖିରେ ।
ସତ କହିଲ ଗୋ
ନୀଳ କଇଁ ମୋର
ମୋ'ଜୀବନେ ଆସିଗଲ ।
ଗୋପନେ ଗୋପନେ
ଅଜଣତେ ମୋର
ହୃଦୟକୁ ଭିଜାଇଲ ।
କଇଁ କେବେ କ'ଣ
ମଉଳା ସପନେ
ହଜି ଲୁଚି,ହଜିଯାଏ ?
ହୃଦ ଆଇନାରେ
ଚୁମ୍ବନ ଚିବୁକେ
ସୁରଭି ସମର୍ପି ଦିଏ ।
ନାୟିକା ଗୋ ମୋର
ନୀଳ କଇଁ ତୁମେ
ମଲା ଜହ୍ନ କେବେ ନୁହଁ ।
ଜାଣେନା, ମୁଁ ତୁମ
ନାୟକ କି ନୁହେଁ
ତଥାପି ମୋ'ପ୍ରେମେ ରୁହ ।
ସେ ପ୍ରେମରେ ଅଛି
ଅଲିଭା ଆସକ୍ତି
ଅତ୍ମୀୟତା ଚିରନ୍ତନ ।
ଜହ୍ନ ଗୋ ମୋ'ର
ମୋ'ତୁଳୀ ପରଶେ
ହୃଦୟେ ଆସୁ ସ୍ପନ୍ଦନ ।
ଜହ୍ନ ଗୋ,ତୁମରି
ଜୋଛନା ହଜିନି
ହଜିବାକୁ ବି ଦେବିନି ।
ତୁମ ଇସାରାରେ
ତୁମକୁ ସଜାଇ
ତୁମ ମନ ନେବି କିଣି ।
ସୂଚାଇ ଦିଏ ଗୋ
ପ୍ରିୟ,ପ୍ରିୟତମ
ତୁମ ସରହତ ଇଏ ।
ନୀରବେ ନୀରବେ
ଜଣାଇ ଦିଏ ସେ
କେତେ ସତେ ଭଲ ପାଏ ।