ହେ କୃଷ୍ଣ ! ଫେରିଆସ ଥରେ
ହେ କୃଷ୍ଣ ! ଫେରିଆସ ଥରେ
ହେ କୃଷ୍ଣ ! ଫେରି ଆସ
ଜନ୍ମ ନିଅ ପୁନର୍ବାର ଦେବକୀ ଗର୍ଭରେ
ଏ ଧରା ପୃଷ୍ଠରେ
ପୁନଶ୍ଚ ବାନ୍ଧି ହୋଇଯାଅ ତୁମେ
ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମରେ
ମାତୃତ୍ଵର ଶୀତଳ ବାସ୍ନାରେ
ହେଉ ପଛେ ସୃଷ୍ଟି ଭିନ୍ନ ଏକ କୁଂଜବନ
ମଧୁର ମୁରଲୀର ସ୍ବର
ମୂର୍ଚ୍ଛନା ତୋଳୁ ପଛେ ଯମୁନାର
ବିସ୍ତୀର୍ଣ୍ଣ ତଟରେ ;
ଗୋପ ଗୋପାଳୁଣୀ ଗୋପ ଦାଣ୍ଡ
ହେଉ ପଛେ ଉତ୍ସବ ମୁଖର କୋଳାହଳ
ବନ୍ଦୀ ଶାଳାର ଅଂଧାରୀ ପ୍ରକୋଷ୍ଠ
ହେଉ ଉଦ୍ଭାସିତ ଝଲମଲ
ତୁମର ସେ କମନୀୟ କାନ୍ତି ମାଧୁର୍ଯ୍ୟରେ ।
ଦେଖି ନିଅ ଥରେ ମନ ଭରି
ତୁମର ସେ ନୀଳ ନୀଳ ନୟନରେ
ଲାବଣ୍ୟ ସୃଷ୍ଟିର ବିଭତ୍ସ ସ୍ଵରୂପ
ଲକ୍ଷ ଲକ୍ଷ ଦେବକୀଙ୍କ ରକ୍ତସ୍ନାନ
ଅସୁମାରି ଯଶୋଦାଙ୍କ କରୁଣ ଚିତ୍କାର
ଲମ୍ପ ପ୍ରଦାନ ସମୁଦ୍ରର ଅଥଳ ଗର୍ଭକୁ ;
ବିଖଣ୍ଡିତ ସାମ୍ରାଜ୍ୟର ଲଗ୍ନ ପ୍ରୀତି ବିମ୍ବ
ହତ୍ୟା ଷଡଯନ୍ତ୍ର କଷଣର ବିଭୀଷିକା
ତାଣ୍ଡବର ଘନ କୁହୁଡି ସୃଷ୍ଟି କରେ ,
କେତେ ପାଂଚାଳୀ ବିବଶନା ,ବସ୍ତ୍ରହୀନା
କେତେ ନିରୀହା ଅହଲ୍ୟା ମାନେ
ମଣିଷରୁ ପାଲଟି ଯାଆନ୍ତି ପାଷାଣି
ନିର୍ବାକ ହୋଇଯାଆନ୍ତି ପ୍ରତି ମୁହୂର୍ତ୍ତରେ
ଶାପଗ୍ରସ୍ତ ହୁଅନ୍ତି ଆଖି ପଲକରେ ।
ସେଦିନ ଦର୍ପି କଂସକୁ ମାରି ସତ୍ୟ ରକ୍ଷାକଲ
ଲଜ୍ଜା ମୁକ୍ତ କରିଥିଲ ଦ୍ରୌପଦୀ ମାତାଙ୍କୁ
ଜୀବନ୍ୟାସ ଦେଇଥିଲ ଅହଲ୍ୟା ଦେବୀଙ୍କୁ
ମହାଭାରତ ଯୁଦ୍ଧେ ପଣ କରିଥିଲ
ରଖିବାକୁ ତୁମ ପଂଚସଖାଙ୍କ ସମ୍ମାନ ,
ପ୍ରକମ୍ପିତ ହେଲା ଚୌଦିଗ ଧର୍ମର ଜୟ ଜୟ କାର ,
ଦେଖ ଦେଖ ଥରେ କେତେ କଂସାସୁର
ସଦର୍ପେ ଶାସନ କରନ୍ତି ଭୂମିରୁ ଭୂମା ପର୍ଯ୍ୟନ୍ତ
ଲାଂଚ ମିଛ ଶଠତା ପ୍ରବଂଚନା ପ୍ରତାରଣାର
ଜଉଘରେ ଫାଟିପଡେ ମର୍ମଭେଦୀ ସ୍ବର
ନଭଶ୍ଚୁମ୍ବି ମଖମଲି ଅଟ୍ଟାଳିକା ଗଢିଉଠେ
ନିରୀହ ଜନତାର କୁଢକୁଢ ହାଡ ମାଂସ ଉପରେ ,
ଫରଫର ଉଡେ ବିଜୟର ବୈଜୟନ୍ତୀ
ଶୁଭୁଥାଏ ଅଜାଡି ପଡୁଥିବା ଅଜସ୍ର ଅଭ୍ୟର୍ଥନାର
ଅଟ୍ଟହାସ୍ୟ କ୍ଷମତାର ଶେଷ ପାହାଚରେ ।
ଦେଖି ଯାଅ ଥରେ ଆଖି ଖୋଲି
କପଟୀ ଦୁର୍ଯ୍ୟୋଧନଙ୍କ ବାହୁଛାୟା ତଳେ
ପାପୀ ଦୁଃଶାସନମାନଙ୍କ ବଳାତ୍କାର
ଏ ଦେଶର ରାଜପଥେ ଦିବାଲୋକେ
କେତେ ଅବଳା ଦୁର୍ବଳା ବେସାହାରା
ନିଷ୍ପନ୍ଦ ନିର୍ବାକ ଭୁଲୁଣ୍ଠିତା
ଅନ୍ଧ ଧୃତରାଷ୍ଟ୍ରଙ୍କ ଅନ୍ଧାରୀ ଶାସନ
ସ୍ଵାଧୀନତା କଣ୍ଠ ରୁଦ୍ଧ ଅଧିକାର ଜରାଜୀର୍ଣ୍ଣ
ପୁନଶ୍ଚ ପୁଞ୍ଜିବାଦର ସ୍ପର୍ଦ୍ଧିତ ପ୍ରବେଶ
ଗଣତନ୍ତ୍ର ଅସହାୟ ଅନ୍ୟାୟ ଅନୀତିର ଚକ୍ରବ୍ୟୁହ ତଳେ,
ଘୃଣ୍ୟ କ୍ଷମତା ପିପାସୁ ଅପରାଧୀମାନଙ୍କ ଦମ୍ଭୋକ୍ତି
ଗ୍ରାସିଲାଣି ଆଲୋକକୁ ଓ ପବନକୁ ,
ଭଗବାନ ରୂପି ମଣିଷମାନଙ୍କୁ ଭୃତ୍ୟ ସଜାଇ
ଶାସନର ଲମ୍ବା ଡୋରି ଟାଣି ଧରିଥାନ୍ତି ସଗର୍ବେ
ଗୁମୁରି ଗୁମୁରି କାନ୍ଦୁଛି ଧରିତ୍ରୀ ନୀରବରେ ।
ହେ କୃଷ୍ଣ ! ଫେରି ଆସ ଥରେ
ଲୁହା କବାଟ କ'ଣ ତୁମକୁ ବନ୍ଦୀ କରି ପାରେ ?
କାରାଗାରର ମେଂଚା ମେଂଚା ଅନ୍ଧକାର
କ'ଣ ତୁମକୁ ପ୍ରତିରୋଧ କରି ପାରେ?
ମଣିଷ କ'ଣ ମୁକ୍ତି କୁ ଛାଡି ରହିପାରେ
ଏ ମଣିଷ ଦେଖିଛି ଅତ୍ୟାଚାରୀଙ୍କ ପ୍ରବଂଚନା ର ଅସ୍ତ୍ର କୁ
ଆଉ ନୁହେଁ ବିଭାଜନ କୂଟ ଚକ୍ର
ମୁକ୍ତି ର ମଶାଲ ହାତ ଠାରି ଡାକେ
ଫେରି ଆସ ଫେରି ଆସ ତୁମେ ଆଉ ଥରେ
ଏ ଧରା ପୃଷ୍ଠ କୁ ।।
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ,ବଡବିଲ।