ତାଣ୍ଡବ
ତାଣ୍ଡବ
ପ୍ରକୃତି ଗର୍ଜନ ଧ୍ଵଂସର ତାଣ୍ଡବ
ବିପତ୍ତି ଆସଇ ନିତି
ପ୍ରକମ୍ପିତ ଧରା ପ୍ରକମ୍ପିତ ଜନ
ମନେ ଦିଏ ଯେତେ ଭୀତି ।।
ଚପଳା ଚମକ ବତାସୀ ପବନ
ଘନ ଘନ ବଜ୍ରପାତ
ଆକାଶ ରାଇଜେ ମେଘର ମେଳଣ
ଧରା ପୃଷ୍ଠେ ଅବପାତ ।।
ଭାରୀ ବୃଷ୍ଟିପାତ ବନ୍ୟାର ସଂକେତ
ପ୍ରଳୟର ବିଭୀଷିକା
ଭୂକମ୍ପ ପ୍ରଭାବେ ଭୂମିର ଦୋଳନ
ହୃଦୟେ ଭରଇ ଶଙ୍କା ।।
ବୃକ୍ଷ ତରୁ ଲତା ପାହାଡ ପର୍ବତ
ଆତଙ୍କିତ ବିପର୍ଯ୍ୟସ୍ତ
ପଶୁ ପକ୍ଷୀ ଯେତେ କୀଟ କି ପତଙ୍ଗ
ଭାଗ୍ୟ ରବି ଯାହା ଅସ୍ତ ।।
ସ୍ପନ୍ଦିତ ହୃଦୟ ବିଚଳିତ ପ୍ରାଣ
ଆତୁରେ ସାହାରା ମାଗେ
ଧ୍ବଂସମୁଖୀ ଅଗ୍ନି ଉର୍ଦ୍ଧ୍ବମୁଖୀ ଶିଖା
ଜ୍ଵଳନର ଦିଗ ଖୋଜେ ।।
ସ୍ଵପ୍ନ ଧୋଇଯାଏ ଦୀପ ଲିଭିଯାଏ
ଆତ୍ମାର ବିଳାପ ଶୁଭେ
ଜୀବନର ସ୍ବର ଅସ୍ପଷ୍ଟ ରାଗିଣୀ
ହା ହା କାର ଶୁଭେ ଭବେ ।।
ଭିଟାମାଟି ହୁଏ ଧ୍ବଂସୀଭୂତ କେତେ
ହଜେ ନୟନର ତାରା
ରକ୍ତର ପ୍ଳାବନ ଅଶ୍ରୁର ଶ୍ରାବଣ
କୋହ ଯେତେ ବୁକୁ ଥରା ।।
ଅଗ୍ନିପଥେ ଯାତ୍ରୀ ଏ ସଭ୍ୟ ମାନବ
ଧ୍ବଂସମୁଖୀ ତାଙ୍କ ଗତି
ପ୍ରକୃତି ର ନୃତ୍ୟ ଚିରନ୍ତନ ସତ୍ୟ
ମାଡି ଆସେ କାଳ ରାତି ।।
ଶରତ କୁମାର ଦାସ,ବଡବିଲ ମହାବିଦ୍ୟାଳୟ,ବଡବିଲ