ମନ ବନେ ତନୁ ଲତା
ମନ ବନେ ତନୁ ଲତା
ମନ ବନେ ତନୁଲତା
ମନ ବନେ ବୁଲି ଦେଖ ତନୁଲତାମାନ
ନବୀନ ପଲ୍ଲବେ ଶୋଭା ବଢାଇ ଉଚ୍ଛନ୍ନ ।
ସରିଲାଣି ଅପସରି ବୁକୁଫଟା ଶୀତ
ଛାତି ଖୋଲି ଖେଳିଯିବ ମଳୟ ବସନ୍ତ ।
ମହକିବ ତନୁ ମନ କାମିନୀ ପ୍ରବୃତ୍ତ
ଉଠିଲାଣି ବେଳ ଦେଖି ମଦନ ଉନ୍ମତ୍ତ ।
ହୁତୁହୁତୁ ଜଲିଲାଣି ବାସନାର ବଣ
ମତୁଆଲୀ ଘାସଫୁଲ କରିଲାଣି ପଣ ।
ବସନ୍ତର ଆଗମନେ ପ୍ରଥମ ଚୁମ୍ବନ
ରସସିକ୍ତ ଅଧରରେ କରିବ ପ୍ରଦାନ ।
ଛନ୍ଦହରା ଚଉପଦୀ ତୋଳିଲାଣି ତାନ
ଲଳିତ କଣ୍ଠରେ କେହି କରିବ ଉତ୍ଥାନ ।
ଧାଡ଼ି ଧାଡି ଫୁଟିଯିବ ଶବ୍ଦର ସୁମନ
ରସିକ କବିର ପଂକ୍ତି କରିବ ମଣ୍ଡନ ।
ହିମମୟ ବସ୍ତ୍ର ଖୋଲି ଧରଣୀ ବକ୍ଷୋଜ
ଚୁମିବାକୁ ଅନାବୃତେ ନଭ ସଜବାଜ ।
ଧରଣୀଗଭାକୁ ଶୋଭା କମଳ ସରୋଜ
ସୁବର୍ଣ୍ଣ କ୍ଷେତାଙ୍ଗ ପ୍ରଭା ସକାଳ ସୁରୁଯ ।
କିଶୋରୀ ପ୍ରାଣ ଉଚ୍ଛନ୍ନ କାମୋଦୀ ରାଗରେ
ବରିବ କେମନ୍ତେ ସାଥୀ ନବ ପ୍ରେମୀବରେ ।
ମନ୍ଦ ମନ୍ଦ ଗନ୍ଧ କ୍ଷେପି ମଳୟ ସମୀରେ
ମଦମସ୍ତ ଗଜ ଖୋଜେ ହସ୍ତିନୀ ବନରେ ।
ସୁକୁମାରୀ ତନୁଲତା ନଚେଇ ନଚେଇ
ଚାଲିଲାଣି ହାଟ ମଧ୍ୟେ ଆନନ ରଙ୍ଗେଇ ।
ପ୍ରତିଶ୍ରୁତି ରଖ ସଖୀ ଆସ ଗୋ ନଇଁବା
ବାସ ଭରା ଧରା ମାଟି ଉଲ୍ଲାସେ ଛୁଇଁବା ।
କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା