ଫେରି ଆ ଫେରି ଆ ଧନ
ଫେରି ଆ ଫେରି ଆ ଧନ
ରୁଦ୍ଧ କାରାଗାର ମୋହର ଦପ୍ତର
ନିତି ବସେ ହସେ ଅଙ୍କ କସେ
ଅଦେଖା ନଗର ସପନ ସହର
ମନ ଉପବନେ ଭାରି ବାସେ ।
ଚାରି କାନ୍ଥ ପାରେ ସର୍ବ ଘରେ ଘରେ
ଶାନ୍ତି ଅନ୍ୱେଷଣ ଚାଲିଛି
ମୋହ ରୁଦ୍ଧ ଦ୍ୱାରେ କାହିଁ କେବେ ଥରେ
ପୁତ୍ର ପାଦ ଶବ୍ଦ ଶୁଭୁଛି ?
ପଥେ ଭିଡା ଭିଡି କେତେ ଧାଆଁ ଦୌଡି
ଘର୍ଷଣ ଧର୍ଷଣ ସହି ପ୍ରାଣ
ସଫଳତା ଶିଡି ଯିବାପାଇଁ ମାଡି
ଭାଙ୍ଗିବାକୁ ଯା'ନ୍ତି ଆନ ରାଣ ।
କା ପାଇଁ ଧାଉଁଛ କଷଣ ସହୁଛ
ଅଥୟ ନୟନ ବେନି ଖୋଲି
ପାଷାଣ ସାଜିଛ କିଏବା ବୁଝୁଛ
ଶିକ୍ଷିତ ମୁରୁଖ ଠାବ କଲି ।
ଯାନ୍ତ୍ରିକ ସାଜୁଛ ସମ୍ପର୍କ ଭାଙ୍ଗୁଛ
ପଣତେ ସାଉଣ୍ଟି ମରୁ ବାଲି
ନୈତିକ ଭୁଲୁଛ ନିଇତି ଖସୁଛି
ଭାଷା ଅନାଦର ଖୋଲା ଖୋଲି ।
ନିଜ ଗାଆଁ ମାଟି ମା ହାତ ରୁଟି
ନିସଂଜ୍ଞ ଲାଗଇ ତୋର ଦେହେ
ନିଜ କୂଳ ଜାତି ଐତିହ୍ୟ କିରତି
ଭୁଲୁଛ ପାଶ୍ଚାତ୍ୟ ଶିକ୍ଷା ମୋହେ ।
ଆହା ଔଡ ଧନ ପାଶୋରୁ ସେ ଦିନ
ବୀର ପ୍ରସବିନୀ ମାଆ ତୋର
କଳିଙ୍ଗ ର ମାନ ଯଶ ଗୁଣଗାନ
କଳା କୀର୍ତି ଏଇ ଓଡିଆର ।
ଐତିହ୍ୟ କୋଣାର୍କ ଶିଳା ଦେହେ ଦେଖ
ଏ ଜାତି ସଂସ୍କୃତି କହେ କଥା
ଚନ୍ଦ୍ରଭାଗା ଦୁଃଖ ଖୋଜେ ପୁତ୍ର ସୁଖ
ବେଳାଭୂମି ଛାତି ସହେ ବ୍ୟଥା ।
ଏ ମାଟିର ନୀର ଅଶୋକ ରୁଧିର
ଚଣ୍ଡାଳ ରୁ କରି ଧର୍ମାଶୋକ
ସତ୍ୟ ଶାନ୍ତି ଧର୍ମ ଧ୍ୱଜା ଫରଫର
ଉଡାଇଛି ଧନ ବାରେ ଦେଖ ।
ଚେତନ ନିଦ୍ରାରେ କେତେ ଶୋଇବୁରେ
ଉଠ ଉଠ ବାରେ ଆର୍ଯ୍ୟ ପୁତ
ଆତ୍ମ ସ୍ୱାର୍ଥ ପରେ ଜାତି ଶିଳା ଦେ'ରେ
ନ କରି ତୋହର ମଥା ନତ ।
ଏବେ ନ ଜାଗିଲେ ଏବେ ନ ତେଜିଲେ
କିସ ହେବ ବନ୍ଧ ବଢି ଧାରେ
କଥାରେ କହିଲେ କାମ ରେ ନକଲେ
କୂଳ ଭାସିଯିବ ବନ୍ୟା ନୀରେ ।
ଅନ୍ଧାର ରାତ୍ରି ରେ ପକ୍ଷୀ ଉଡିପାରେ
ବିଶ୍ୱାସ ଭରିଲେ ଦ୍ୱି-ଡେଣା ରେ
ସେ ବିଶ୍ବାସ ଥରେ ନିଜେ ନିଜ ଠାରେ
ଅଙ୍କୁରିତ କର ହୃଦୟରେ ।
ସଂପ୍ଲୁତ ପରାଣେ ତୁଣି-ର ତୁ ଟାଣେ
ଶୀଖରେ ଥୋଇଦେ' ଜାତି କୀର୍ତ୍ତି
ବିଶ୍ୱ କୋଣେ କୋଣେ ଭାଷା ମୈତ୍ରାୟଣେ
ଉଜ୍ଜୀବିତ କରି ଦେଶ ପ୍ରିତି ।
ବିଡମ୍ବିତ ସୁତ ନୁହେଁ ରେ ତୁ ପୁତ
ବାଟ ହୁଡି ପର ଘରେ ପସୁ
ସଂସ୍କୃତି ପାଶ୍ଚାତ୍ୟ କରି ପରାହତ
ଫେରିଆ ଜନନୀ ତୋର ହସୁ ।
ଆଜି ନ ଚାହିଁଲେ ଆଖି ବୁଜିଦେଲେ
ଅନ୍ଧକାର ରାଜ୍ୟେ ହଜିଯିବୁ
ଅରଣ୍ୟେ ରୋଦିଲେ କେ ଶୁଣିବ ଭଲେ
ଅକ୍ଷୟ ଯଶ ହରେଇବୁ ।
ଓଡିଆ ମହତ ମେରୁ ପରବତ
ନିଶ୍ଚଳ ଯେତେ ବିଘ୍ନ ଆସୁ
ଆସ ସାରିପୁତ ଶାନ୍ତି ର କପୋତ
ନୂତନ ସୁରୁଜ ପୁଣି ହସୁ ।