ନବବର୍ଷରେ ଅନୁଚିନ୍ତା
ନବବର୍ଷରେ ଅନୁଚିନ୍ତା
ସୂର୍ଯ୍ୟ ଢଳିଲେ ସଞ୍ଜ ହୁଏ
ଅନ୍ଧାର ହଟିଲେ ସକାଳ ହୁଏ
ମାସ 31 ଗଲେ ଏକ ତାରିଖ ଆସେ
କାନ୍ଥ କ୍ୟାଲେଣ୍ଡରରୁ ଏକ ପୃଷ୍ଠା ଖସେ ।
ଜୀବନ ମରଣ
ଆଗମନ ପ୍ରସ୍ଥାନ
ଏସବୁ ଗତାନୁଗତିକ
ଅଟେ ଚିରନ୍ତନ ।
ସମୟ ସ୍ରୋତରେ
ଏ ସମାଜର ଧାରା,
ପୁରୁଣା ଯାଇ ନୂଆ ଆସେ
ଏକ ସାଧାରଣ ପରମ୍ପରା ।
ନୂଆ ବର୍ଷ ତ ଆସେ
ମାଛ ମାଂସ ର ଭାଉରେ
ଥିଲାବାଲାଙ୍କ ଆତସବାଜି
ରୋଷଣୀ ଆଲୁଅରେ,
ପିଲାଙ୍କ ବଣଭୋଜି ଅବା
ଯୁବକଙ୍କ ଉଦଣ୍ଡ ନୃତ୍ୟରେ ।
ନ ଥାଏ ନୂଆ କି ପୁରୁଣାର ଅନ୍ତର
କର୍ମଜୀବି ବ୍ଯକ୍ତି ଅବା ଗୋତି ଖଟୁଥିବା
ଅଭାବୀ ମଣିଷର।
ସେଦିନ ଥିଲା ନବ ବର୍ଷରେ ସଂକଳ୍ପ
ଆଜି ବି ନେବେ ଶପଥ
ଏ ସବୁ ପାଣିର ଗାର
ବିଷୟ ଜାଲରେ ଇନ୍ଦ୍ରିୟ କିଙ୍କର ।
ଚୌହଦୀରେ ଶୋଷଣ କଷଣ
ଅତ୍ୟାଚାର ବଳାତ୍କାର
ବଢିଚାଲିଛି ଯେତେସବୁ ଭ୍ରଷ୍ଟାଚାର
ଦେହ ଦେବାଳୟ ଆଜି ଦୈତ୍ଯାଳୟ
କମଳାଙ୍କ ଲୀଳାଭୂମୀ ହେଉଛି କଦାକାର ।
ରେ ଆତ୍ମନ;
ଏବେ ଠୁ ହୁଅ ସଚେତନ
ଜାଗିଉଠ ସବୁ ନବୀନ ତରୁଣ
ଉଇଁ ଆସୁଛି ନୂତନ ଅରୁଣ
ଉଙ୍କି ମାରୁଛି ଆଶାର କିରଣ
ଉତ୍ଥିତ କର ହେ ସୁପ୍ତ ଚେତନ
ଝଙ୍କୃତ ହେଉ ମହାମାନବବାଦର ନାଦ
ପ୍ଳାବିତ ହେଉ ଶାଶ୍ବତ ସ୍ରୋତ
ଏ ସାରା ସଂସାର ।