ଉତ୍କଳ ଉର୍ମି ଅର୍କ ଶ୍ରୀ
ଉତ୍କଳ ଉର୍ମି ଅର୍କ ଶ୍ରୀ
1 min
237
ଶୀତ ସକାଳର ସୁନେଲି ଖରାରେ
ଚନ୍ଦ୍ରଭାଗା ନଦୀ ତୀରେ,
ସିକ୍ତ ବାଲି ବେଳା ଉଙ୍କି ମାରୁଥିଲା
ଅର୍ଦ୍ଧ ନିମିଲିତ ସୁରେ ।
ଝାଉଁ ବଣେ ଗୀତ ଗାଇ ଯାଉଥିଲା
ସୁଲୁ ସୁଲୁ ଧୀର ବାଆ,
ଆଶାୟୀ ଅରୁଣ ହସି ହସି ଆସି
ଖୋଜୁଥିଲେ ନିଜ ରାହା ।
ରାମଚଣ୍ଡୀ ପୀଠ ମଙ୍ଗଳ ଧ୍ୱନୀରେ
ଶଙ୍ଖ ସୁରେ ମୁଖରିତ,
ସାଗର ଲହରୀ ଉଦ୍ ବେଳିତ ହୋଇ
ଖୋଜୁଥିଲା ତା'ଅତୀତ ।
ପ୍ରତ୍ୟୁଷ ପ୍ରହରେ କୋଣାର୍କ କୋଳରେ
ଶୀତଅଂଶୁ ଶୟନ ପ୍ରାୟ,
ବେଳା ବକ୍ଷ ହସେ ପକ୍ଷୀର କୁଜନେ
ଛାଡି ରଜନୀ ନୀଳୟ ।
ଦୂର ଦିଗ୍ ବଳୟେ ଆକାଶ ସାଗର
ମିଳନର ମଧୁରତା,
ନୀଳ ସାଗରର ନୀଳାମ୍ବୁ ଲହରୀ
ଝୁମି ଝୁମି କୁହେ କଥା ।
ମାହେନ୍ଦ୍ର ମୁହୂର୍ତ୍ତେ ସତେକି ଗୁପତେ
ସପନ ସୁନ୍ଦରୀ ସାଜି,
ବଉଦ ଦେହରୁ କିଏ ଜଣେ ଆସି
ଛୁଉଁଥିଲା ବେଳା ରାଜି ।
ମୃଦୁ ମୃଦୁ ପାଦେ ରୁଣୁ ଝୁଣୁ ଶବ୍ଦେ
ଉଦ୍ବେଳିତ କଲା ମନ ।
କାନ୍ତି ବିମୋହିତ ଶୋଭାରେ ତାଆରି
ବେଳା ଭୂଇଁ ବି ବିଲୀନ ।
ପଢ଼ିଥିଲି ଦିନେ ଉପେନ୍ଦ୍ର ଭଞ୍ଜଙ୍କ
ସୁକାବ୍ୟ ଲାବଣ୍ୟବତୀ ।
ସେ ଲାବଣ୍ୟ ନାରୀ ତୁଚ୍ଛ ମୁଁ ଭାବିଲି
ଦେଖି ତା'ଲାବଣ୍ୟ ଜ୍ୟୋତି ।
ପଚାରିଲି,"ଆଗୋ,ଦିବ୍ୟ ଦିବ୍ୟାଙ୍ଗନା
ପରିଚୟ ତୁମ କୁହ ।"
ନୀରବ ରହିଲା ତା' ଲୁହ କହିଲା
"ମୁଁ କୋଣାର୍କ ଭଗ୍ନ ଦେହ ।"
ଶିଳ୍ପୀ ସାଜି ଯିଏ ରଙ୍ଗ ଭରିଥିଲା
ତା'ଜୀବନ ଯୌବନରେ ।
ପ୍ରତାରଣା ଦେଇ ଛାଡି ଚାଲିଗଲା
ଜୀବନ ଅଧା ରାସ୍ତାରେ ।
ଆଗୋ ଭଗ୍ନ ଦେହୀ ଶିଳ୍ପୀ ମୁଁ ନୁହେଁ
ଅଭିନୟ ମୁଁ ଜାଣେନା ।
ନିଜ ପରିଚୟେ ରଙ୍ଗ ଭରିଦେବି
କରି ନବ୍ୟ ନୃତ୍ୟାଙ୍ଗନା ।
ଭଗ୍ନ ଦେହୀ ସିନା ନଗ୍ନ ନୟନରେ
ଦିବ୍ୟ ଦୃଷ୍ଟିରେ ଶ୍ବାତୀ ଶ୍ରୀ ।
ଗର୍ବ ଗୌରବର ସୁ ଅଭିସାରିକା
ଉତ୍କଳ ଉର୍ମି ଅର୍କ ଶ୍ରୀ ।
ଆସ ଗୋ ସୁକେଶୀ ପ୍ରଶଂସା ଭୁୟସୀ
କୋଳେଇ ନେବି ତୁମକୁ ।
ମୋ'ସୂକ୍ଷ୍ମ ତୁଳୀରେ ରଙ୍ଗ ଭରିଦେବି
ଅଭିଶପ୍ତ କପାଳକୁ ।
କୋଣାର୍କ ହସିବ ହସି ହସାଇବ
ବେଦ ଶାସ୍ତ୍ର ହେବେ ପ୍ରୀତ ।
ଦେବାଳୟ, ଦିବ୍ୟ ବେଳାଭୂମି ହେବ
ଶଙ୍ଖ ଧ୍ୱନୀ ମୁଖରିତ ।