କଳ୍ପ କୁମୁଦିନୀ
କଳ୍ପ କୁମୁଦିନୀ
1 min
5.8K
କବିଙ୍କୁ ସଭିଏଁ
ପ୍ରେମିକ କୁହନ୍ତି
ସତ ଅବା ମିଛ
କବିତା କହିବ ନିଜେ ।
କବି ପରା ଜଣେ
ଅପାରମ୍ପରିକ
କବିତା ଭିତରେ
ମାନବବାଦ ରେ ହଜେ !
ତା'ଆଖିରେ ସବୁ
ସୁନ୍ଦର ଦିଶୁଛି
ସୁନ୍ଦରୀ ସାଜିଛି
ତା' କବିତା ଶବ୍ଦ ରାଜି ।
ପଦରେ ପଦରେ
ଡେଣା ମେଲି ଦେଇ
ଉଡି ବୁଲେ ସିଏ
କଳ୍ପ କୁମୁଦିନି ସାଜି ।
କବିତା ତାହାରି
ଏକାନ୍ତ ଈଶ୍ୱରୀ
ଅସ୍ତ ରଙ୍ଗ ନୁହେଁ
ସଦା ସବୁଜିମା ଧାରା ।
ଅସ୍ତରେ ଅସ୍ତରେ
ରଙ୍ଗରେ ରଙ୍ଗରେ
ଆଗାମୀ ଆଶାର
ବର୍ଣ୍ଣାଢ୍ୟ ଭବ୍ୟ ଇସାରା ।
କବିଙ୍କ କବିତା
ପ୍ରେମରେ ପ୍ରେମରେ
ବିପକ୍ଷ ବିନାଶୀ
ମିତ୍ରତା ସଉଧ ଗଢେ ।
ସେ ପ୍ରେମ ଅନନ୍ତ
ତା' ଧାରା ଶାଶ୍ୱତ
ଦିଗନ୍ତ ବିସ୍ତାରୀ
ଶାନ୍ତି,ମୈତ୍ରୀ,ପ୍ରୀତି ବାଢେ ।
ହେ ମୋ'ର କବିତା !
ଅସୀମ ତୋ' ସତ୍ତା
ଚିର ଯଉବନା
ରୂପ ନେଇ ଭାସି ଯାଅ ।
ମଣିଷ ମନର
ଧୂସର ମରୁରେ
ସବୁଜିମା ଦ୍ରୁମ
ଅଙ୍ଗେ ଅଙ୍ଗେ ଭରି ଦିଅ ।
ତାହେଲେ ଜାଣିବି
ପ୍ରେମ ମୋ' ସାର୍ଥକ
ସାତ୍ତ୍ଵିକ ସାରଥୀ
ମୂର୍ତ୍ତିମନ୍ତ ବାର୍ତ୍ତାବହ ।
ଯିଏ ଯାହା କହୁ
ମୋ' କବିତା କୋଳେ
ହଜି,ହଜୁଥିବି
ଚାଲିଥିବ ଲେଖା ସୁଅ ।