ଆମ ଘରର ମଝିକାନ୍ଥ
ଆମ ଘରର ମଝିକାନ୍ଥ
ଦୂରଦୃଷ୍ଟି ବିନା ତୁମେ ହିଁ ଭାଇନା
ତୋଳିଥିଲ ଏହି କାନ୍ଥ
ଦେଖ ଏବେ ଦେଖ ଲମ୍ବା ଫାଟ ଏକ
ଭେଦିଲାଣି ଦୁଇ ପ୍ରାନ୍ତ ।
କାନ୍ଥ ଏ ଭିତରେ ସ୍ବାର୍ଥର ହିତରେ
ଭାଇଚାରା କଲା ନାଶ
ପୂର୍ବଜଙ୍କ ମାଟି ବୁକୁ ଯାଏ ଫାଟି
ମନେ ପଡେ ଇତିହାସ ।
ଛାଇ ଦେଇ ପଛ ପଟେ ଥିବା ଗଛ
ପୁରୁଷ ପୁରୁଷ ଧରି
ଝଡ଼କୁ ଖାତର ନକରି ମାତର
ଛିଡ଼ା ଅଛି ଆଗ ପରି ।
କେବେ ଯଦି ବନୁ ଆସେ କେଉଁ ହନୁ
ଭାଙ୍ଗେ ସିନା ପକ୍ଷୀବସା
ନୀଡ଼ର ପତନେ ସଜାଡେ ଯତନେ
କିପାଇଁ ଆମ ଏ ଦଶା ?
ଅହଙ୍କାର ଆମ ନାଶିଲା ତମାମ
ଭାବି ଦେଖ ଆଉଥରେ
ବୁଜିଲେ ତ ବାଟ ପିଲାଙ୍କର ଫାଟ
ଯୋଡିବ କି କୁହ ପରେ ।
ଛାଡିଦିଅ ରୋଷ ଥିଲେ ଦୋଷାଦୋଷ
ଧରିବନି ଭାଇ ଜମା
ଛୋଟବଡ଼ କଥା ନଭାବି ଅଯଥା
କରିଦିଅ ଥରେ କ୍ଷମା ।
ମତାନ୍ତର ଥାଉଁ ଦେହ ଧରି ଆଉ
ଜୀଇଁଥିବା କାହା ଲାଗି
ରହୁ ଏ ନିବାସ ଭାଇନା ହେ ଆସ
ମଝିକାନ୍ଥ ଦେବା ଭାଙ୍ଗି ।
ପ୍ରସନ୍ନ କୁମାର ମାଦଳା