ଧର୍ମଶାଳା
ଧର୍ମଶାଳା
ହଇରେ ଅଧମ ନଜାଣୁ ସଦମ
ଗଢିଲୁ ଯା' କରି ଜୋର
ଯେତେକ ଦରବ ଖଞ୍ଜିଲୁ ସରବ
ସେ ତ ନୁହେଁ କେବେ ତୋର ।
ମୋର ମୋର ବୋଲି କହି ହେଉ ଖୋଲି
ସାମାନ୍ୟ ବୋଧର ବିନା
ନଥିଲା ସେ କାଲି ରହିବନି ଖାଲି
ମିଛ ମାୟାର ଏ ସିନା ।
ଯାହା ସବୁ ଭୋଗ କରୁଛୁ ସେ ଯୋଗ
ଭିଆଣ କରିଲା ସେହି
ପ୍ରାରବ୍ଧର ବଳେ ଭାଗ୍ୟ ଡୋରି ଚଳେ
ଏତକ ନଜାଣ କେହି ।
ଏ ଯେଉଁ ଛପନ ଭୋଗ ସେ ସପନ
ସମାନ ମିଠା ଅଙ୍ଗୁର
ଭୋଗ ଗଲେ ସରି ଜାଣ ହେତୁ କରି
ଲାଗିବ ସବୁ ଭଙ୍ଗୁର ।
ନଶ୍ଵର ସଂସାର ଈଶ୍ଵର ଅଂଶାର
ସଂରଚନା କ୍ଷୁଦ୍ର ଅତି
ନଗଣ୍ୟ ତୁ ଛାର ଉଠାଇ ଏ ଭାର
ଆସକ୍ତ ରଖୁଛୁ ମତି ।
ଲୋଭ ମୋହ ବହି ଯେତେ କାଳ ରହି
ଥିବୁ ଏ ସଂସାରେ ବଞ୍ଚି
ମୋର ବୋଲି କହି ଦୁଃଖକଷ୍ଟ ସହି
ଯାଉଅଛୁ ଧନ ସଞ୍ଚି ।
ହେଲେ ଦୁଇ ଫଡା କିବା ହାତଛଡା
କରୁଥାଉ ସିନା ଶୋକ
ଯେତେ ଯାହା ଚିଜ ଭାବୁଥିଲେ ନିଜ
ଜଳୁଥିବେ ଦାଣ୍ଡ ଲୋକ ।
ଧର୍ମଶାଳା ଭାବି ଧନ ଘର ଚାବି
ଧରାଇ ଦେ ଆନ ହାତେ
ତାହାହେଲେ ଯାଇ ବିରାଗରେ ଥାଇ
ସୁଖନିଦ୍ରା ଯିବୁ ରାତେ ।
ଲଙ୍ଗଳା ତୁ ହୋଇ ଆସିଥିଲୁ ଶୋଇ
ଯିବୁ ଦିନେ ଧରା ତଳେ
ଭକତି ଯୁଟାଇ ଆସକ୍ତି ତୁଟାଇ
ତରିଯିବୁ ତ୍ୟାଗ ବଳେ ।
ପ୍ରସନ୍ନ କୁମାର ମାଦଳା
ଘ.ନଂ - ଏଫ୍/ ୧୩ , ସେକ୍ଟର-୪
ରାଉରକେଲା - ୭୬୯୦୦୨
ଫୋନ୍ - ୭୯୭୮୧୯୨୨୨୭