ଦଶହରା
ଦଶହରା
କାଳିନ୍ଦୀ ଚରଣ ପାଣିଗ୍ରାହୀ
ଶରତ କାଳ ଜଳଦ ମାଳ
ନୀଳ ଗଗନେ ଭାସେ
କଦବା ଥରେ ବରଷା ଝରେ
ଏବେ ଅଶିଣ ମାସେ
ଦିଶଇ ଶ୍ୟାମ ପ୍ରାନ୍ତର ଗ୍ରାମ
ଶଇଳ ଧାନ କ୍ଷେତ
ରଜନୀ ଦିବା ଧରଣୀ କିବା
ଉଡାଏ ନୀଳ ନେତ
ଶ୍ୟାମଳ ଘାସେ, କୁସୁମ ହାସେ
ଉଠଇ ହସି ଧରା,
ଗଙ୍ଗ ଶିଉଳି ପଡେ ଝାଉଁଳି
ବାଜିଲେ ଟାଣ ଖରା
ଅମଳ ଜଳେ କମଳ ତଳେ
ଖେଳନ୍ତି ହଂସ ମୀନ .
ବରଷ କାଳ ମାସରେ ସାର
ଆଜି ଗୋଟିଏ ଦିନ.
ଆନନ୍ଦ ଝରେ , ସବୁରି ଘରେ
ଦାଣ୍ଡ ଆନନ୍ଦ ଭରା ,
ମହା ଉତ୍ସବ ,ପୁଣ୍ୟ ପରବ
ଦଶମୀ ଦଶହରା ,
ପବନ ମନ୍ଦ ଧୁପର ଗନ୍ଧ
ଆଣଇ ଧୀରେ ବହି,
ଶଙ୍ଖ ମହୁରୀ ଶବଦେ
ପୁରି ଉଠେ ଆକାଶ ମହୀ ,
ନଗର ଗ୍ରାମ ଛାଡିଛି କାମ
ସବୁରି ଆଜି ସୁଖ
ପ୍ରବାସୀ ନର ଲେଉଟି ଘର
ଦେଖନ୍ତି ବନ୍ଧୁ ମୁଖ
ନବ ବସନ ପିନ୍ଧି ଯତନ
ଖେଳଇ ଶିଶୁ ଆଗ.
ପୁରୁଷ ନାରୀ, ମୁଖେ କାହାରି,
ଦୁଃଖର ନାହିଁ ଦାଗ .
ଏଇ ଶରତେ ଦିନେ ଭାରତେ
ରାଘବ ରାମଚନ୍ଦ୍ର
ସାଗର କୂଳେ ଅଗାଧ ଜଳେ
ବାନ୍ଧିଲେ ସେତୁ ବନ୍ଧ
ଦେଶ ଚରଣ କରି ବରଣ
ଶୁଭ ଦିବସେ ଆଜି
ବିଜୟପଥେ ଚଳିଲେ ସତେ
ବାନରସେନା ସାଜି
ସବଂଶେ ଅରି ବିନାଶ କରି
ଲଙ୍କାରେ ଜାଳି ଚିତା
ସେ ସ୍ମୃତି ଆଜି ଉଠେ ବିରାଜି
ଉଦ୍ଧରିଥିଲେ ସୀତା