ଇଚ୍ଛାକନ୍ୟା-୧୫
ଇଚ୍ଛାକନ୍ୟା-୧୫
ଇଚ୍ଛାକନ୍ୟା-୧୫
କାଶ୍ୟପ
ଫରକ ଅନେକ,
ସ୍ୱପ୍ନେ ଜାଣେନା କେତେବେଳେ
ଚାଲିଗଲି ଅନ୍ତଃରୀକ୍ଷ ମଧ୍ୟକୁ,
ରାତ୍ରିର କାଳିମା ଭିତରେ
ଗ୍ରହ, ନକ୍ଷତ୍ର, ଆଲୋକପୁଞ୍ଜ,
ବୋଧେ ୟାକୁ କହନ୍ତି !
ଇନ୍ଦ୍ରଖଟି ଦେଖିଲି
ଅନ୍ଧାର ଆକାଶ
ତା'ରି ଭିତରେ
ଏକ ଶ୍ୱେତ ଧାରା
ନିମ୍ନଗାମୀ
ବୋଧେ କହନ୍ତି
ତାକୁ
ଆକାଶଗଙ୍ଗା
ନା ଆରବୀୟ ଲୋକକଥାର ଜନ୍ନତ !
ଏଠି ରହନ୍ତି ଜିନ୍ନତ
ବୋଧେ ମୋ ସବୁ ଯେତେ
ଇଚ୍ଛାକନ୍ୟା
ଜୋର କରି ଚିଲାଇଲି, ଡାକିଲି
ଆତୁର ସେ ସ୍ୱର, ଧ୍ୱନି ସହ ପ୍ରତିଧ୍ୱନି,
ପ୍ରକମ୍ପିତ ଗଗନ
ଆଲୌକିକ ଅନୁଭୂତି,
ଛୋଟଛୋଟ ତାରାବର୍ଷା ଆପାଦମସ୍ତକ ।
ଶ୍ୱେତଗଙ୍ଗା ଧରାରେ
ଚାଲିଆସିଲା
ଶ୍ୱେତବସ୍ତ୍ର ପରିହିତା
ଜିନ୍ନତ
ସତେ ଯେମିତି
ମୋ କାବ୍ୟନାୟିକା
ହାତ ଧରି ଆଖିରେ ଆଖି ମିଶାଇ
ହସି କହିଲା ଯକ୍ଷ ପୁରୁଷ !
ପଢୁଛି ପ୍ରତିଦିନ
ତୁମ ଅଧର ପ୍ରାନ୍ତେ ଲେଖାଥିବା ଅକୁହା ଭାଷା,
ପ୍ରୀତି ଓ ପ୍ରତ୍ୟୟ,
ମିଳନ ଓ ବିରହର ସ୍ୱାଗତ ଗୀତିକା,
ବହୁଦୂରେ ଦିଗନ୍ତ ସେପାରି
ନିଶ୍ଚିତ ଏ ଅପହଞ୍ଚ ଇଲାକା
ମୁଁ ତୁମ ଅନ୍ଵେଷିତା----- !
ରାଧା ଡାକିପାର, ଡାକିପାର ଜିନି,
ଅଵା ମଧୁଝରା ବାସ୍ତବ,
ଭାଙ୍ଗିଲା ନିଦ, ଉଠି ବସିଲି,
ହସିଲି ! କହିଲି ! ସ୍ବପ୍ନ ଓ ବାସ୍ତବ,
ବହୁଦୂରେ ...ଦିଗନ୍ତ ସେପାରି,
ଥିଲେ ଆଖିରେ ନିଦ ଆଉ ସ୍ବପ୍ନ
ରୂପାୟନ କରିବୁ ବାସ୍ତବ,
ଦେଖି ଚାଲ, ଦେଖି ଚାଲ
ନେଇ ତୋ ଆବେଗ ।