ବକୁଳ ଅମାବାସ୍ୟାରେ
ବକୁଳ ଅମାବାସ୍ୟାରେ
ନିର୍ଝରିଣୀ ଝର ଝରଝର ହୋଇ
ଝରୁଛି ପାହାଡ ମୂଳେ
ଆସରେ ଶୁଭୁଛି ଆଜି କଳରବ
ଏଇଠି ବିହଙ୍ଗ କୁଳେ ।
ନୀଳ କାଗଜରେ ଚିତ୍ରଟିଏ ପାଇଁ
ଭରିଲି ନାଲିଆ କାଳି
ଚାହୁଁ ଚାହୁଁ ବିଜେ ଉଦିତ ତପନ
ସୁନେଲି କିରଣ ଢାଳି ।
ଶିହରାଇ ଦେଲା ସୁଲୁସୁଲୁ ବାଆ
ଥିଲା ସେ ମଧୁର ମନ୍ଦ
ବାରି ପାରୁଥିଲି ମଳୟ ପରଶେ
ନବୀନ ବକୁଳ ଗନ୍ଧ ।
ପୁରପଲ୍ଲୀ ମାଳ ପକ୍ବ ଶସ୍ୟଶାଳି
ପ୍ରକୃତି ଦିଶଇ ହେମ
ଜାଣେନି କିପାଇଁ ଜାଗି ଉଠିଲାଣି
ମୋ ମାଟି ମାଆର ପ୍ରେମ ।
ଋତୁରାଜ କାହୁଁ ଆଣି ଭରିଦେଲା
କଅଁଳ ମାଦକ ନିଶା
ମନ ମୋ ଉଷତ ରୁଣୁଝୁଣୁ ନାଦେ
ଉଚ୍ଛ୍ବସିତ ଚଉଦିଶା ।
ମଧୁର ଲଗନେ ମଗନ କିଶୋରୀ
ବିରାଜ ହୋଇଲେ ଯେଣୁ
କନ୍ଦର ଶିଳାରେ କିଏ ସେ ନାଗର
ବଜାଏ ମୋହନ ବେଣୁ ।
ନିତ୍ୟରାସ କିବା ନିତ୍ୟ ବସନ୍ତ ଏ
ଏହି କି ସେ ବୃନ୍ଦାବନ
ଉତ୍କଳ ଭୂଇଁରେ ବିଭବ ଏ ଦେଖି
ପୂରି ଉଠିଲା ମୋ ମନ ।
ପ୍ରସନ୍ନ କୁମାର ମାଦଳା