ଜନ୍ମଦିନ ତୁମେ ବିଚକ୍ଷଣ
ଜନ୍ମଦିନ ତୁମେ ବିଚକ୍ଷଣ
ଜନ୍ମଦିନ, ତୁମେ ସୁକୃତ ଦାୟିନୀ
ବରଷକେ ଥରେ ଆସ,
ଆସି କହିଯାଅ ଛଳରେ ମେଳରେ
ପୁରିଲା ମାଣେ ବରଷ ।
ନିଜେ ହସି ହସି ହସ ଦେଇଯାଅ
ଉତ୍ସବର ରଙ୍ଗ ନେଇ ,
ଆଲୋକ ରୋଷଣି ସାଜି ଭୁଆସୁଣି
ଖେଳନ୍ତି ଗେଲ୍ହେଇ ହୋଇ ।
କିଏ ବା ତୁମକୁ ନିଜ ଘରେ ଡାକେ
କିଏ ଖୋଜେ ମନ୍ଦିରରେ,
ତୁମରି ସାଥିରେ ହସି ଖେଳି ମନ
ଭରିଯାଏ ପୁଲକରେ ।
ଆନନ୍ଦ ଲହରୀ ଭଉଁରୀ ଢେଉରେ
ଚାରିଆଡ ମୁଖରିତ,
ତାଆରି ଭିତରେ ଥୋଇ ଦେଇଯାଅ
ବାରତା ଏକ ଗୁପତ ।
ଗୁପତ ନୁହେଁ ସେ ନିୟତି ସିଦ୍ଧାନ୍ତ
ତୁମ ଆଗମନେ ସିଦ୍ଧ,
ଆୟୂଷରୁ ଏକ ବରଷ ଲିଭିଲା
ଆୟୂ ହୁଏ କ୍ରୁଶବିଦ୍ଧ ।
ଜାଣି ବି ଅଜଣା ମଣିଷ ତ କିଣା
ବିଧାତାର ରଚନାରେ,
କିବା ଦୋଷ ତୁମ ହେ ଜନମ ଦିନ
ବନ୍ଧା ନିଜ କର୍ତ୍ତବ୍ୟରେ ।
ଆସ ସିନା,ଧିରେ ଯାଅ ଅପସରି
ହିସାବର ଖାତା ନେଇ,
ଜଗିଥାଏ ଯମ କରିବ କରମ
ଆୟୂ କାଟିଦେବା ପାଇଁ ।
ଦୀର୍ଘାୟୂ ହେଉ ବା ଅଳ୍ପାୟୂ ହେଉ
ସେଇ ନିୟମରେ ବନ୍ଧା,
ଏ ଛାର ମଣିଷ କି ଅବା ଜାଣିବ
ବିଧିର ଗୋଲକ ଧନ୍ଦା ।
ହସ ବି ନ ଥାଏ କାନ୍ଦ ବି ନ ଥାଏ
ମୋ ପାଇଁ ଜନମ ଦିନେ,
ଗଣେନା ମୁଁ କେବେ ଜାଣେନା ମୁଁ କେବେ
ବଞ୍ଚିଥାଏ ଅନୁକ୍ଷଣେ ।
ଏତିକି ଜାଣେ ମୁଁ ଜନମ ଲଭିଛି
କିଛି ଦେଇଯିବା ପାଇଁ,
ଦେଇ ଦେଇ ଯିବି,ଦେଇ ଚାଲିଥିବି
ତୁମକୁ ଦୋଷ ନ ଦେଇ ।
ଆସିଛି ମୁଁ ଏକା ଯିବି ବି ମୁଁ ଏକା
ଛାଡିଯିବି ଇତିହାସ,
ସେଇ ଇତିହାସ ଦେଉଥିବ ହସ
ନ ଥିବ ମୋ ଅବଶୋଷ ।
ହେ ଜନମ ଦିନ ତୁମେ ବିଚକ୍ଷଣ
ଅଟଳ ତୁମ ସିଦ୍ଧାନ୍ତ,
ସମୟର ତୁମେ ସ୍ୱୟଂ ପ୍ରତିନିଧି
କୋଟି କୋଟି ଦଣ୍ଡବତ ।