ଆରଣ୍ୟକ
ଆରଣ୍ୟକ
1 min
360
ଦିନ ବିତିଯାଏ
ଭେଟ ହୁଏନାହିଁ କେବେ ।
ପ୍ରତୀକ୍ଷାରେ ରହି
ପ୍ରତୀକ୍ଷାର ନାହିଁ ଅନ୍ତ ।।
ନିଭୃତ ନିଦାଘେ
ରୁଦ୍ର ତାପରେ ଜଳେ ।
ତଥାପି ପାଏ ନି
ପ୍ରତୀକ୍ଷା ଶେଷ ଦିଗନ୍ତ ।।
ଏମିତି ପଥିକ
ମୁଁ ଜଣେ,ମରୁ ବେଳାରେ ।
ନ ଚାହିଁ ବି ସତେ
ବୃଥା ସ୍ବପ୍ନ କେତେ ଖୋଜେ ।।
ସେଇ ସ୍ବପ୍ନ ନେଇ
ମିଥ୍ୟା ଚକ୍ରବ୍ୟୁହେ ପଡି ।
ଅବାସ୍ତବ ସତ୍ୟ
ଅନୁସନ୍ଧାନରେ ହଜେ ।।
ମରୁ ମରୀଚିକା
ଅହର୍ନିଶ ଉଙ୍କି ମାରେ ।
ସେଠି ସବୁ ବାଲି
ତାତିଲା ନିଆଁର ବହ୍ନି ।।
ଏମିତି ବାଟୋଇ
ଜାଣି ବି ସେଇ ବହ୍ନିରେ ।
ଖୋଜି ବସେ ଖାଲି
ଅମା ଅନ୍ଧକାର ଅଗ୍ନି ।।
କାହିଁକି ତାହେଲେ
ପ୍ରତୀକ୍ଷାକୁ ପ୍ରତୀକ୍ଷିବି !
ନ ଥିବ ଯାହାର
ସତ୍ୟ,ଆଦି ଅବା ଅନ୍ତ !!
ଘୁର୍ଣ୍ଣି ବଳୟରେ
ଜାଣୁ ଜାଣୁ ମୁଁ ପଡିବି ।
କଣ୍ଟା ପରେ କଣ୍ଟା,
କଣ୍ଟକିତ ପଥ ପ୍ରାନ୍ତ ।।
ଜାଣି ଜାଣି ନିଜେ
କଣ୍ଟାରେ କଣ୍ଟାରେ କ୍ଷତ ।
ଲହୁ ଲୁହାଣ ରେ
ଅଙ୍ଗ ଅଙ୍ଗରେ ରକ୍ତାକ୍ତ ।।
ତଥାପି ଅଦମ୍ୟ
ଆରଣ୍ୟକ ଅଭିଳାଷ ।
ଅରଣ୍ୟ ମୁଁ ନିଜେ
ମୃତ୍ୟୁ ଭୟେ ସନ୍ତ୍ରାସ ।।