ପ୍ରତିଭା
ପ୍ରତିଭା
ପ୍ରତିଭା
ଉତ୍କଳ ମାତାର ସନ୍ତାନ ମୁଁ ଅଟେ
ନାହିଁ ତିଳେ ମୋର ଭୟ
ଓଡ଼ିଆ ରକତ ଦେହେ ପ୍ରବାହିତ
ହୋଇଛି ମୁଁ ବଜ୍ରମୟ ।
ତା କୋଳେ ଜନମି ସୁଖେ ମୁଁ ବଢିଛି
ପିଇଛି ତା ସ୍ତନୁ କ୍ଷୀର
ମୁଖେ ଦେଇ ମୋର ଦିବ୍ୟ ସୁଧାହାର
କରିଛି ମୋତେ ସେ ବୀର ।
ତା ପାଣି ପବନେ ଖେଳି ବଢିଅଛି
ମୁଁ ଅଟେ ଓଡ଼ିଆ ପୁଅ
ମାନ ଅପମାନ ସବୁ ସେ ସହିଛି
ତା ପରି କେ ଅଛି କୁହ ।
ଦିବ୍ୟ ଜୀବନେ ମୋ ଅବ୍ୟକ୍ତ ବେଦନା
ଶୁଣରେ ଓଡ଼ିଆ ଭାଇ
ବ୍ଯଥିତ ହୃଦୟେ କରେ ନିବେଦନ
ମୋ ଦୁଃଖିନୀ ମାଆ ପାଇଁ ।
ପୟୋସ୍ବିନୀ ମୋର ଉତ୍କଳ ଜନନୀ
ନେତ୍ରେ ତା ଲୋତକ ଧାର
ସୁପ୍ତ ତା ପ୍ରତିଭା ବାହାର ଜଗତେ
ନୁଆଁଇ ରଖିଛି ଶିର ।
ବୃଷ୍ଟିହୀନ ଆଜି କୃଷି କର୍ମ ଛାଡି
ଆପଣା ଜିହ୍ଵାକୁ ଛେଦି
ସହରୀକରଣେ ଗାଆଁ ମାଟି ଛାଡି
ହୋଇଗଲୁ ଭୋଗବାଦୀ ।
ଇତିହାସେ ଥରେ ପୃଷ୍ଠା ଓଲଟାଇ
ତନ୍ନ ତନ୍ନ କରି ଦେଖ
କୁସଂସ୍କାର ଆଉ ଅନ୍ଧବିଶ୍ୱାସକୁ
ଛାଡି ବଢାଅ ତା ଟେକ ।
ସ୍ମରଣ କର ତା ପୂରୁବ ଗୌରବ
କି ଥିଲା ମୋ ମାଆ ଦିନେ
ଆଜି କଳୁଷିତ ପୁତ୍ରଗଣେ ଦେଖି
କାନ୍ଦେ ଭାଳି ସବୁ ମନେ ।
ଦିବସେ ଶୋଇ ତୁ ସପନବିଭୋର
ମଣୁ ଏ ଅନ୍ଧାର ରାତି
ନିଦ୍ରା ଅବସାଦେ ନିର୍ବଳ ହୋଇବୁ
ନ ଘୁଞ୍ଚଇ ତୋର ଭୀତି ।
ଦୁଃଖିନୀ ମାଆର ସନ୍ତାନ ଆମେରେ
ଭୋଗ ପାଇଁ ବେଳ କାହିଁ
ଉଠ ଉଠ ମଠ ନକର ଭାବରେ
ଲାଗିଯିବା ଏକ ହୋଇ ।
ମିଳିମିଶି ଆମେ ଶ୍ରମଦାନ କଲେ
ଶ୍ୟାମଳ ଧରିତ୍ରୀ ମାଟି
ପୋଷଣ କରିବ ସନ୍ତାନଙ୍କୁ ତାର
ଦୁଃଖରେ ନ ଯିବ ଫାଟି ।
ଦୁର୍ନୀତି ହଟାଇ ଓଡ଼ିଆ ଭାଇରେ
ସଙ୍ଗେ ବହି ବଳ ବୀର୍ଯ୍ଯ
ବଜ୍ରମୟ ଆମ ବାହୁବଳେ ଆସ
ଗଢିଦେବା ରାମରାଜ୍ୟ ।
କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା