ମୁଗ୍ଧ ମୂର୍ଚ୍ଛନା
ମୁଗ୍ଧ ମୂର୍ଚ୍ଛନା
ଆକାଶରେ ତମେ ପୃଥିବୀରେ ତମେ
ଫୁଲ-ଫଳ-ଗଛ-ଲତା ସବୁଠାରେ ତମେ
କେତେବେଳେ ଜହ୍ନ ଓ ତାରାଙ୍କ ମେଳରେ
କେତେବେଳେ ଢଳ ଢଳ ଶିଶିର ବିନ୍ଦୁରେ
ଉନ୍ମୁକ୍ତ ବସନ୍ତର ମୁଗ୍ଧ ମୂର୍ଚ୍ଛନାରେ
ଉଦାସ ପୌଷର ମ୍ଳାନ ଗୋଧୂଳିରେ;
କେତେବେଳେ ଶବ୍ଦଙ୍କ ଭିତରେ ତ
ପୁଣି କେତେବେଳେ ଶବ୍ଦଙ୍କ ବାହାରେ।।
ତମେ ସତ୍ୟ ତମେ ନିତ୍ୟ
ତମେ ପରଂବ୍ରହ୍ମ ସନାତନ
ତମରି ଅନନ୍ତ ଲୀଳା ପରିବ୍ୟାପ୍ତ
ଅନ୍ତରରୁ ଅନ୍ତରୀକ୍ଷ ଯାଏ ।
ଏତେବଡ ତମରି ସୃଷ୍ଟିରେ
କେତେ ଅସହାୟ
ହାଡ-ମାଂସ -ଲୁହ-ଲହୁର ଜୀବନ
ମୋର ପ୍ରଥମ ଭୂମି ସ୍ପର୍ଶ ଠାରୁ
ପୃଥିବୀକୁ ଜାଣିବା ପର୍ଯ୍ୟନ୍ତ
ସମଗ୍ର ଚିନ୍ତା ଓ ଚେତନାର ତତ୍ତ୍ବଦର୍ଶୀ ଦିଗ
ଆଛାଦିତ କେଉଁ ଏକ ସୁବର୍ଣ୍ଣ ସକାଳର
ଧୂଆଁଳିଆ ମୋହରେ ।।
ନାଁ ପାଇଛି ତମରି କରୁଣା
ନାଁ ଶୁଣିଛି ତମ ବଂଶୀର
ପ୍ରେମମୟ ମଧୁର ସଂଗୀତ
ଖାଲି ରାଶି ରାଶି ଦୁଃଖ ଓ ଯନ୍ତ୍ରଣା
ଭଲପାଇବାର ନିର୍ମମ ପ୍ରତାରଣା
ବାଷ୍ପାରୁଧ୍ଧ ମୋ ଭିତରେ
ଜୀବନ୍ଯାସ ପାଉଥିବା ସୃଜନର ପ୍ରତିଟି ସକାଳ
ଜୀଇଁବାର ଛୋଟ ଅନୁରାଗ ।।
ମାଟିର ମଣିଷ ମୁଁ
ମାଟିରେ ମିଶିବା ଯେବେ ଧ୍ରୁବ ସତ୍ୟ
ଆତ୍ମୀୟ ସ୍ଵଜନଙ୍କ କେତେବୁନ୍ଦା ଲୁହ
କେତେଖଣ୍ଡ କାଠର ନିଆଁ ଓ ପାଉଁଶ
ଯେବେ ଜୀବନର ସହଯାତ୍ରୀ
ତେବେ---------------------------!
ସମ୍ପର୍କର ସୂତାଖିଅ ଛିଡିବା ପୂର୍ବରୁ
ଭିଜାଇ ଦିଅ
ସମଗ୍ର ସତ୍ତାକୁ ମୋର
ହଜାଇ ଦିଅ
ଯେତେ ମାୟା ମରୀଚିକା
ତମ ପ୍ରେମ ଆନନ୍ଦ ସାଗରର ଉତ୍ତାଳ ତରଙ୍ଗେ;
ଯିବି ମୁଁ ବାହୁଡି
ସୂର୍ଯ୍ୟାଲୋକ ଚନ୍ଦ୍ରାଲୋକ ଠାରୁ
ସହସ୍ର ଯୋଜନ ଦୂରକୁ
ମହାଯାତ୍ରା ହେବ ମୋ ସାର୍ଥକ
ସେଦିନର ବିଦାୟ ଲଗ୍ନରେ ।।
---------'----------'-------'-------