ନୀରବ ଲୟରେ ବସନ୍ତ ଝୁରେ
ନୀରବ ଲୟରେ ବସନ୍ତ ଝୁରେ
1 min
7.0K
ଶାସ୍ତ୍ରରେ ସଂଭ୍ରମ ଦର୍ଶନର ମର୍ମ
ତୁମରି ମୁଖଶ୍ରୀ
ଦର୍ପଣ ହୋଇ ।
ଝଲସି ଝଟକି ଝୁମି ଯାଉଅଛି
ଦିବ୍ୟାଙ୍ଗନା ଦୃଷ୍ଟି
ଯିବ ଲାଜେଇ ।
ନବ ଯଉବନା ରୂପେ ପରାଜିତ,
ଫୁଲ ପାରିଜାତ,
ରୂପ ପସରା ।
ଗୁଣରେ ଜ୍ଞାନରେ କି ଦେବି ଉପମା
ସଞ୍ଜ ସକାଳର
ନୟନ ତାରା ।
ଇନ୍ଦ୍ରଧନୁର ସାତ ରଙ୍ଗ ଫିକା
ପଡିଯିବ ତୁମ
ରଙ୍ଗ ଆଗରେ ।
ସେଇଥି ପାଇଁ ତ ଶାରଦୀୟ ସନ୍ଧ୍ୟା
କଣେଇ ଚାହୁଁଛି
ସରମ ଭରେ ।
ଲାବଣ୍ୟବତୀର ମୃଣ୍ମୟୀ ନୟନ
ନିର୍ବାକ ନୟନେ
ତୁମକୁ ଦେଖେ ।
ଗବାକ୍ଷ ଗର୍ଭରୁ ନିମିଲିତ ନେତ୍ରେ
ସପନ କୁମାର
ତୁହାଇ ଡାକେ ।
କୋଇଲି କାନ୍ଦୁଛି,କଣ୍ଠେ କଣ୍ଠେ ତା'ର
ଗୁମୁରା ଗୀତର
ଶୀତଳ ସୁରେ ।
ତୁମରି ସୁରକୁ ସଲାମୀ ଦେଉଛି,
ନୀରବ ଲୟରେ
ବସନ୍ତ ଝୁରେ ।
ଶିକ୍ଷାରେ ସଂପୂର୍ଣା ଗୁଣେ ବହୁଗୁଣା
ବିଭବେ ବୈଭବା
ବଚନେ ବନ୍ଧୁ ।
ପୁଣ୍ୟରେ ପ୍ରଶାନ୍ତି ଭାବରେ ଆହୁତି
ବିଜ୍ଞପ୍ତି ବିହୀନ
ଭାବର ସିନ୍ଧୁ ।
ମୁଁ ଭିନ୍ନ ବ୍ୟକ୍ତିତ୍ୱ ନିଆରା ଅସ୍ତିତ୍ୱ,
ତୃପ୍ତି ତର୍ପଣର
ତ୍ରିବେଣୀ ତୁମେ ।
କରୁଛି ଶପଥ ପୁଣ୍ୟରେ ମୁଁ ମତ୍ତ
ଚିହ୍ନିବି ନିଜକୁ
ତୁମରି ନାମେ ।
ଭିନ୍ନ ମୋର ଏଇ ପ୍ରେମର କବିତା
ରହିଛି କଳ୍ପନା,
କଳଙ୍କ ନାହିଁ ।
କଳ୍ପରେ କଳ୍ପରେ ମାନବ ପ୍ରୀତିର
କରିଛି ପ୍ରୟାସ
ମାନବ ହୋଇ ।