ମୋ ଗାଁଆ
ମୋ ଗାଁଆ
ବଉଦର ତଳେ ମହାନଦୀ କୂଳେ
ରହିଛି ମୋ କୁନି ଗାଁଟି
ଘନ ବନଲତା ଘେରିଛି ତାହାକୁ
ମଧୁ ଗନ୍ଧେ ଫାଟେ ନାଁଟି
ପୂର୍ବାକାଶେ ଯେବେ ସୂରୁଜ ପ୍ରକାଶେ
ଗାଁ ଦାଣ୍ଡ ହୁଏ ଚଞ୍ଚଳ
ଚଷାଭାଇ ପୁଅ ସାଜୁଥାଏ ହଳ
ପଶୁ ଗୋଠ ମାଳ ମାଳ
କେତେ ଯେ ଆଦର ଦେଇଛି ତା କୋଳ
କେତେ କରୁ ଆମେ ଖୁସି
କହି ନାହିଁ କେବେ ଦୁଃଖୀ ବୋଲି ମୋତେ
ସହିଯାଏ ହସି ହସି
ବଢିଥିଲି ଦିନେ ତାର ସେ କୋଳରେ
ଖେଳୁଥିଲି କେତେ ବୁଲି
ଗାଁଆ ମୁଣ୍ଡ ବନ୍ଧ ବରଗଛ ତଳ
ଆମ୍ବ ତୋଟା ନଈ ବାଲି
ଏହି ଗାଆଁ ସ୍କୁଲ୍ ସାଙ୍ଗ ସାଥି ଯେତେ
ମମତା ଦେଇଛି ମୋତେ
ବଡ ସହରରେ ଯେତେ ବି ଆଦରେ
ମନ ମୋର ଗ୍ରାମ ପଥେ।
ମୋ ଗାଁଆ ମନ୍ଦିରେ ଆରତୀ ସନ୍ଧ୍ୟାରେ
ଘଣ୍ଟଧ୍ଵନି ଧାଇଁ ଆସେ
ପ୍ରଭୁଙ୍କ ଦର୍ଶନ ପାଆନ୍ତି ସମସ୍ତେ
ମାନ ଅଭିମାନ ନାଶେ
ଆମ ଗାଁଆ ବୋହୁ ମାଉସୀ ପିଉସୀ
ସଭିଏଁ ଏଠାରେ ଏକ
ଭିନ୍ନ ପରିବାର ହେଲେ ହେଉଥାଏ
ବାଣ୍ଟୁଥାନ୍ତି ଦୁଃଖ ସୁଖ
ମାର୍ଗଶୀର ମାସେ ଦୁଆର ଚମକେ
ମୁରୁଜ ଝୋଟିର ରଙ୍ଗେ
ପୁନେଇ ପରବ ଗାଁଆ ର ଗରବ
ସଭିଙ୍କ ଅଳସ ଭାଙ୍ଗେ
ଗ୍ରାମ ଦୀଘି ଆମ ମୁକ ସାଖି ପ୍ରେମ
ହୋଇଛି ଏବେବି ଠିଆ
ତରୁଣ ତରୁଣୀ କେତେ ଢଙ୍ଗ ଠାଣି
ରହିଛି ସ୍ମୃତିରେ ବୁହା
ସଂସ୍କାର ଦେଖିଛି ସମାଜ ଦେଖିଛି
ଏକତାର ବଳ ଏଠି
ଏକଜୁଟ ହେଲେ ଅସାଧ୍ୟ ସାଧନ୍ତି
ଡରନ୍ତିନି କାହା ଲାଠି
ଆକାଶ ଗରଜେ ସୂରୁଜ ଚମକେ
କେତେ ଝଡ ବାତ୍ୟା ବାଆ
ବୈଶାଖର ତାତି ଶ୍ରାବଣର ଧାରା
ଗାଁଆ ମାଟି ସର୍ବଂସହା
ଉତ୍ଥାନ ଆସିଛି ପତନ ପାଇଛି
ଯାଇ ନାହିଁ ଗାଁଆ କିର୍ତ୍ତି
ମୋ ଗାଁଆ ମୋହର ରହିଛି ମୋ ପାଇଁ
ଜୀବନ ସ୍ପନ୍ଦନ ସ୍ମୃତି
ପ୍ରଶାନ୍ତ କୁମାର ହୋତା