ମୋ ଗାଁ
ମୋ ଗାଁ
ମୋ ଗାଁ ରେ ନାହିଁ ଧାଡି ଧାଡି ଦେବଦାରୁ
ସୁସଜ୍ଜିତ ଫୁଲକୁଣ୍ଡ,କାଗଜ ଫୁଲର ବାସ୍ନା
ସୁଉଚ୍ଚ ତୋରଣ ଅବା ମୁଲାୟମ ଘାସର ଗାଲିଚା,
ଘର ଆଗରେ ଲେଖା ହୋଇନି'କୁକୁର ପ୍ରତି ସାବଧାନ'
ବଡ ବଡ ନାମ ଫଳକ, 'ଇନ୍ ବା ଆଉଟ୍ ',
ମୋ ଗାଁ ରେ ରହିଛି ଭରପୂର
ଫୁଲ ଗଛ ରଂଗ ବେରଂଗର,
ନାଲି କୃଷ୍ଣଚୂଡାର ର କଅଁଳ ପାଖୁଡା
କିଆ-କେତକୀର ଭୂରୁଭୂରୁ ବାସ୍ନା
ମଲ୍ଲୀ ,ମାଳତି ,ଚମ୍ଫା, ତରାଟ ଫୁଲର ସୁନ୍ଦର ବଗିଚା
ଆହୁରି ଅଛି ପ୍ରଶସ୍ତ ସବୁଜ ଘାସ ପଡିଆ
ଗାଁ ଦାଣ୍ଡ, ଧୂଳି ,ମାଟି ଓ ସବୁଜ ଚାଦରରେ ଢଙ୍କା ଗହୀର ବିଲ
ଦୂର ଶାଳବଣ, ଆମ୍ବ ତୋଟା, ଲମ୍ବା ତାଳଗଛ, ନଈ, ପାହାଡ ,
ମାଛ ପୋଖରୀ ଓ ତା' ଚତୁର୍ଦିଗ ନଡିଆ ଗଛର ଛାଇ
ଏକ ମନୋଜ୍ଞ ପରିବେଶ , ସବୁଜ ନିଳୟ ।।
ମୋ ଗାଁ ରେ ନାହିଁ ଷ୍ଟ୍ରିଟ୍ ଲାଇଟ୍ ,ନାଲି ନେଳି ଆଲୋକ ମାଳା, ପାର୍କ ,ସିନେମା ହଲ୍ ,କଲଭର୍ଟ,ବସ୍ ଷ୍ଟାଣ୍ଡ,
ବଡ ବଡ ଇମାରତ୍, ଗାଡି ମଟରର କେ କାଁ ଶଦ୍ଦ
କିମ୍ବା ଧାଁ ଧୌଡ ଅସ୍ତବ୍ଯସ୍ତ ଜୀବନ ଚର୍ଯ୍ୟା
ସକାଳୁ ସଂଜ ଏକ ଗତାନୁଗତିକ ଜୀବନ ଧାରା ,
ମୋ ଗାଁ ସଂପୂର୍ଣ୍ଣ ନିଆରା ଫୁଙ୍ଗୁଳା ସନ୍ନ୍ୟାସୀଟିଏ
କଇଁ ଫୁଲିଆ ଜହ୍ନ ରାତି ,ଆକାଶରୁ ନିଗିଡିପଡେ
ରଜତ ଧବଳ ଜୌସ୍ନା , ଧୋଇଯାଏ ବହଳ ଅନ୍ଧାର।
ମୋ ଗାଁ ରେ ଅଛି ଝାଟି ମାଟି ର ନୂଆଣିଆ ଚାଳଘର
ଗୁରୁବାର ମାଣବସା ଲକ୍ଷ୍ମୀ ଙ୍କ ପାଦଚିହ୍ନ
ଅଗଣାରେ ଭରପୂର ଝୋଟିର ପସରା ,
ମୋ ଗାଁ ପବନରେ ଭରିଛି ମଧୁର ଆତ୍ମୀୟତା
ସ୍ବଛ ସ୍ବାଭିମାନରେ ପରିପୂର୍ଣ୍ଣ ଢଳଢଳ କାଚକେନ୍ଦୁ ଜଳରାଶି।।
ମୋ ଗାଁ ରେ ନାହିଁ ପଂଚ ତାରକା ହୋଟେଲ, ରଙ୍ଗିନ ସାଜସଜ୍ଜା,ଆଧୁନିକ ଖାଦ୍ୟପେୟ- ବିରିୟାନି, ପିଜା, ବର୍ଗର ,ଚାଓମିନି ଆହୁରି କେତେ କ'ଣ
ଡାଇନିଂ ଉପରେ କଣ୍ଟା ଚାମଚ ସହ ଦାମିକା ପାନୀୟ ।
ମୋ ଗାଁ ରେ ଅଛି ମୋ ବୋଉର ସୁରମ୍ୟ ହାଣ୍ଡିଶାଳ, ବିରି ପିଠା
ହାତ ପରସା ପଖାଳ ଭାତ, ତେନ୍ତୁଳି ଖଟା , କଳମ ଶାଗ,
ବାଡି ବାଇଗଣ ସହ ଚୁନା ମାଛ ବେଶର ର ସ୍ବାଦ
ତା ଭିତରେ ଅଛି ମୋ ବୋଉର ଚୁନା ଚୁନା ହସ ,କଅଁଳ ସ୍ନେହ ଓ ଭଲପାଇବା ର ଫେଣ୍ଟାଫେଣ୍ଟି ଆବରଣ ।
ମୋ ଗାଁ ରେ ନାହିଁ ଓସାରିଆ ପିଚୁ ରାସ୍ତା, ଟ୍ରାଫିକ ପୋଷ୍ଟ,
ଟ୍ରାଫିକ ପୋଲିସ ଙ୍କ ଲମ୍ବା ହୁଇସିଲ
କିମ୍ବା ରାସ୍ତା ପାରି ହେବାର କଡା ଆଇନ କାନୁନ,
ମୋ ଗାଁ ର ଅଙ୍କା ବଙ୍କା କଚାରାସ୍ତା ଏବେବି ସୁନ୍ଦର
ଭାଗବତ ଟୁଙ୍ଗି, ଗାଁ ଦେଉଳ ଏବେବି ତୋଳେ ଭକ୍ତିର ଝଂକାର
ମୋ ଗାଁ ରେ ନାହିଁ ଅତିଥି ନିବାସ
ପ୍ରତିଟି ନଡା ଛପର କଚାଘର ଅତିଥିମାନଙ୍କ
ନିର୍ଭୟ ଓ ଅମୃତ ର ଆଶ୍ରୟ ସ୍ଥଳ ।
ଏଠି ସିକ୍ୟୁରିଟି ର ଆବଶ୍ୟକତା ପଡେ ନାହିଁ
ଆବଶ୍ୟକ ପଡେ ଯାହା ଏକ ସରଳ ଓ ପବିତ୍ର ମନର ।।
ମୋ ଗାଁ ପାର୍ବଣର ସୁନାଝରା ରୂପାଝରା
ବାରମାସରେ ତେର ପର୍ବ ଓହ୍ଲାଇ ଆସନ୍ତି ହସି ହସି
ସ୍ବର୍ଗରୁ ମର୍ତ୍ତ୍ୟକୁ ଜଣକ ପରେ ଅନ୍ୟ ଜଣେ
ପଂଚୁ ଦୋଳ ,କୁମାର ପୂର୍ଣ୍ଣିମା ପୁଣି ରଜ ମଉଜ
କେତେ ପିଠା ପଣା ,ଭୋଜି ଭାତ,
ସକାଳ ହେଲେ ମୋ ଗାଁ ରେ ସୂରୁଯ ଉଏଁ, ମୁରୁଜ ବୁଣେ
ହସେ ନଈପଠା ,କାଶତଣ୍ଡି ,
ଜହ୍ନିଫୁଲ ଓ କାକୁଡି ଫୁଲର ଅପୂର୍ବ ସମ୍ମୋହନ ।
ମୋ ଗାଁ କୁ ବର୍ଷା ଆସେ କଳାମେଘୀ ପାଟ ପିନ୍ଧି
ମୟୂର ନାଚେ ବାଦଲ ସହିତ ତାଳ ଦେଇ ରିମ୍ ଝିମ୍ ସୁରେ ।
ଶୀତ ଆସିଲେ ମୋ ଗାଁ ଥରୁଥାଏ ଶୁଖିଲା ପତ୍ରଟିଏ ଭଳି
କାଠ କୁଟାରେ ଭରିଯାଏ ନିଆଁ ଉହ୍ମେଇ
ଗୋବରୀ ମାଉସୀ ,କମଳି ନାନି ଆହୁରି କେତେ
ଏକାଠି ହୁଅନ୍ତି ନିଆଁ ପୁଆଁନ୍ତି କେତେ ଗପସପ ଟାହି ଟାପରା।
ନଇଁ ଆସେ ସକାଳ ର ସୂର୍ଯ୍ୟ , ଦିନ ପାକଳ ହୁଏ ।।
ଆଜି ମୋତେ ଦେଖାଯାଏ ମୋ ଗାଁ ଜଳଜଳ
ମୋ ଚଲା ବାଟ, ଗାଁ ଛକ, ସ୍କୁଲ୍ ବଗିଚା, ଭାଗବତ ମଠ
ଦୃଶ୍ୟ ବା ଅଦୃଶ୍ୟ ରେ ,ଜାଣତ ବା ଅଜାଣତରେ
ଦେହ ଯାଉ ବା ନ ଯାଉ
ମନ ମୋ ଲଗାମହୀନ ହୋଇପଡେ
ଧାଇଁଯାଏ ମୋ ଗାଁ କୁ ପ୍ରତି ମୁହୂର୍ତ୍ତରେ
ଆଉ ଭିଜୁଥାଏ ବାରମ୍ବାର ବର୍ଷା ରେ ଓ ଶୀତୁଆ ସକାଳ ର
ଟିପି ଟିପି କାକର ବିନ୍ଦୁ ରେ ।।
-------------------------
ଶରତ କୁମାର ଦାସ ,ବଡବିଲ ମହାବିଦ୍ୟାଳୟ ,ବଡବିଲ