ଜୀବନର ପାହାଚ
ଜୀବନର ପାହାଚ
ଜୀବନ ତ ଏଠି ପାହାଚ ପାହାଚ
କିଏ ବୁଝେ କାହା ଭାବ
ଉପର ପାହାଚ ଚଢିଥିବା ଲୋକ
ଭାବେ ତ ଏହା ହିଁ ଲାଭ ।
ପାସୋରି ଦିଏ ସେ ତଳ ପାହାଚରେ
ଥିଲା କେତେ ଦୁଃଖ କଷ୍ଟ
ନିକାଶ କରଇ ତୁଚ୍ଛାରେ କିପାଇଁ
ଶ୍ରମଫଳ ହେଲା ନଷ୍ଟ ।
ଭୋଗ ବିଳାସରେ କେବେ କାହା ବୁଦ୍ଧି
ହୋଇଯାଏ ବାଟବଣା
ଉପରକୁ ପୁଣି କେତେ ବାଟ ବାକି
ପଡେନାହିଁ ତାକୁ ଜଣା ।
ଚଢିବା ଲୋକର ଜୀବନ ଶଇଳୀ
ହୁଏ ଯେତେ ଛନ୍ଦମୟ
ବଢି ଯାଉଥାଏ ଅଜ୍ଞାତରେ ତାର
ପତନ ହେବାର ଭୟ ।
ନିଜ ଜ୍ଞାତିବର୍ଗ ପାହାଚେ ଉଠିଲେ
ତଳଲୋକ ମରେ ରୁଷି
ଉପର ତଳର ଖେଳ ସିନା ଇଏ
ସେତିକିରେ କାହିଁ ଖୁସି ?
ଜୀବନ ଜଞ୍ଜାଳ କାହାକୁ ଛାଡିନି
ଅଛି ତ ଅଭାବ ରୋଗ
ଯେଉଁଠି ବି ଥାଅ ଶାନ୍ତି ନାହିଁ ଯଦି
ମୂଲ୍ୟହୀନ ଯେତେ ଭୋଗ ।
ଟଙ୍କା ପଇସା କି ସାଧନ ସମ୍ବଳ
ମଣିଷ ଖୋଜେ ଯା' ଇଚ୍ଛି
ସୁଖରେ ରହିବା ସମ୍ଭବ କି କୁହ
ମିଳିଗଲେ ସବୁକିଛି ?
ବାଟ ଲମ୍ବିଅଛି ତଳରୁ ତଳକୁ
ଉପରୁ ଉପର ଯାଏଁ
ପ୍ରତି ପାହାଚର ମଣିଷ ଜୀବନେ
ଖୁସି ଟିକକ କି ଥାଏ ?
ବକତେ ଖାଇ ବି ଗଛମୂଳେ କିଏ
ନିଶ୍ଚିନ୍ତ ନିଦ୍ରାରେ ଶୁଏ
କୋଟିପତି କିଏ ବିଳାସ କକ୍ଷରେ
ଲୋତକରେ ଆଖି ଧୁଏ ।
ସ୍ନେହ ପ୍ରେମ ଆଉ ନୀରୋଗ ଜୀବନ
ପରିବାରେ ସୁଖମନ୍ତ୍ର
ଉତ୍ତମ ଚରିତ୍ର ସାଥେ ଭକ୍ତି ଭାବ
ଦେଇ କି ପାରିବ ଯନ୍ତ୍ର !
ପ୍ରସନ୍ନ କୁମାର ମାଦଳା