Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Others

3  

Kulamani Sarangi

Others

ପୁରୁଷୋତ୍ତମ ଦେବ(3)

ପୁରୁଷୋତ୍ତମ ଦେବ(3)

2 mins
4.3K


ପୁରୁଷୋତ୍ତମ ଦେବ

(3)

(ଐତିହାସିକ କାବ୍ୟାଂଶ)

---------------------------

ପିତାଙ୍କର ମୃତ୍ୟୁ ଅନ୍ତେ ଶ୍ରୀ ପୁରୁଷୋତ୍ତମ ,

ପ୍ରଥମେ ସମାପ୍ତ କଲେ ଅଭିଷେକ କର୍ମ ।

ତଦନ୍ତେ ପିତାଙ୍କ ଶେଷକୃତ୍ଯର ଅନ୍ତରେ,

ଅସ୍ଥି ବିସର୍ଜନ କଲେ ଭାଗିରଥି ନୀରେ।

ଶାସ୍ତ୍ରମତେ ଭସ୍ମ ଅବଶେଷ ବିସର୍ଜିଲେ,

କୃଷ୍ଣା,ଗୋଦାବରୀ, ଗଂଗା,କାବେରୀର ଜଳେ।

ଦରଶନ କଲେ ଯାଇ ପ୍ରଭୁ ଜଗନ୍ନାଥ,

ରତ୍ନବେଦୀ ତଳେ ଯାଇ ନୁଆଁଇଲେ ମାଥ।

ବୋଇଲେ "ଆରତତ୍ରାଣ ତୁମ୍ଭରି ଇଚ୍ଛାରେ,

ଅଭିଷିକ୍ତ ହୋଇଛି ଏ ଦାସ ଉତ୍କଳରେ।

ତୁମ୍ଭ ସ୍ୱପ୍ନଆଦେଶକୁ ବିଧାତା ନିର୍ଦ୍ଦେଶ,

ମାନି ମୋତେ ରାଜଦଣ୍ଡ ଦେଲେ ଉତ୍କଳେଶ।

ଏତିକି କୃପା କରିବ ହେ ଜଗତ ନାଥ,

ଭ୍ରାତୃରକ୍ତେ ହସ୍ତ ମୋର ନୋହୁ କଳଙ୍କିତ।

ପ୍ରଥମ ସେବକ ପରା ତୁମ୍ଭର ମୁଁ ହରି,

ରାଜଦଣ୍ଡ ବହିଅଛି ତୁମ୍ଭ ଆଜ୍ଞା ଧରି।

ଘେନିଯାଅ ପଛେ ପ୍ରଭୁ ସେହି ଅଧିକାର,

ଭ୍ରାତୃରକ୍ତେ ସିକ୍ତ ନୋହୁ ସିଂହାସନ ମୋର।"


ପିତାଙ୍କର ମହାଯାତ୍ରା ବାର୍ତ୍ତାରେ ହମ୍ବିର,

ଦୁଃଖେ ମ୍ରିୟମାଣ,ଶୋକେ ହୋଇଲେ ଅସ୍ଥିର।

ସମସ୍ତ ଭ୍ରାତାଙ୍କୁ ଏକତ୍ରିତ କରାଇଲେ,

ମହାଦର୍ପେ ସୈନ୍ୟବଳ ସଙ୍ଗେ ବାହାରିଲେ।

ହସ୍ତେ ଧରିଛନ୍ତି ସର୍ବେ ବଛା ବଛା ବର୍ଚ୍ଛା,

କଟିରେ ଜାଜ୍ବଲ୍ଯମାନ ଅସି ବଛା ବଛା।

ଉତ୍କଳର ରାଜଧାନୀ କରି ଆକ୍ରମଣ,

ପୁରୁଷୋତ୍ତମଙ୍କୁ ଦେବେ ଉଚିତ ମରଣ।

ବର୍ଚ୍ଛାଘାତେ ଖଣ୍ଡ ଖଣ୍ଡ କରି ଅଙ୍ଗଗୋଟି,

ଶ୍ୱାନ,ଶୃଗାଳଙ୍କୁ ମାଂସଖଣ୍ଡ ଦେବେ ବାଣ୍ଟି।

'କୃତିବାସ ପୁରେ'* ନପାଇ ଗଜପତିଙ୍କୁ,

ପୁରସ୍ତମେ ପହଞ୍ଚିଲେ ହତ୍ୟା କରିବାକୁ ।


ଏଣେ ଶ୍ରୀମନ୍ଦିରେ ପୂଜାସାରି ଗଜପତି,

ପାତ୍ର,ମନ୍ତ୍ରୀ ସଙ୍ଗେ ବଡଦାଣ୍ଡେ ପହଞ୍ଚନ୍ତି।

ଚାହୁଁ ଚାହୁଁ ଅଷ୍ଟାଦଶ ଭ୍ରାତା ପହଞ୍ଚିଲେ,

ନିଜ ନିଜ ବର୍ଚ୍ଛା ନୃପ ଦେହେ ପ୍ରହାରିଲେ।

କି ଆଶ୍ଚର୍ଯ୍ଯ ଏକ ମଧ୍ୟ ଦେହେ ନବାଜିଲା !

ଇତସ୍ତତ ହୋଇ ସବୁ ବର୍ଚ୍ଛା ଉଡିଗଲା।


ହସି ବୋଇଲେ ରାଜନ "ଆସ ଭ୍ରତାଗଣ,

ସହୃଦୟେ କରେ ତୁମ୍ଭଙ୍କୁ ମୁଁ ଆଲିଙ୍ଗନ।

ଏ ପରମକ୍ଷେତ୍ର ପ୍ରଭୁ ପରମ କାରଣ,

ଦୟା ରଖିଥାନ୍ତି ସମସ୍ତଙ୍କୁ ନାରାୟଣ।

ହିଂସାର ସ୍ଥାନ ଏଠାରେ ନାହିଁ ମୋରଭାଇ,

ଦେଖିଲତ ତୁମ୍ଭ ଅସ୍ତ୍ର ଗଲା ବ୍ୟର୍ଥ ହୋଇ।

ପ୍ରଭୁଙ୍କ ଇଚ୍ଛାରେ ଧରିଅଛି ରାଜଦଣ୍ଡ,

ହସ୍ତ ମୋର ଦୃଢକର ନହୋଇ ଉଦଣ୍ଡ।

ସହଯୋଗ ଯେବେ ତୁମ୍ଭେ ମୋସଙ୍ଗେ କରିବ,

ମହିରେ ଅମରାବତୀ ସମ୍ଭବ ହୋଇବ।

ଜୟକରି ଏ ସମଗ୍ର ଭାରତ ଭୂଖଣ୍ଡ,

ସ୍ଥାପିତ କରିବା ସନାତନ ଧର୍ମଦଣ୍ଡ।

ପତିତ ପାବନ ବାନା ଉଡିବ ଅମ୍ବର,

'ଜଗନ୍ନାଥ ଧାମ' ନାମ ହେବ ଭାରତର।


ଶୁଣି ହମ୍ବିରଙ୍କ ଚକ୍ଷୁ ହେଲା ରକ୍ତବର୍ଣ୍ଣ,

ବୋଇଲେ "ବାଚାଳ ହେଲୁ କି ପୁରୁଷୋତ୍ତମ?

ଆତ୍ମସମର୍ପଣ କର ତୁରନ୍ତ ବାଚାଳ,

ନୋହିଲେ ବାରବାଟୀରୁ ଆଣି ସୈନ୍ୟବଳ।

'କୃତିବାସ ପୁର'କୁ ମୁଁ କରିବଇଁ ଧ୍ୱଂସ,

ବାଂଶୁରୀ କାହି ବାଜିବ ନରହିଲେ ବାଂଶ?

ପିପିଲିକା ହୋଇ ଦୀପଶୀଖାକୁ ତୋ ମନ,

ସ୍ୱପ୍ନରେ ଅମରାବତୀ କରୁଛୁ ନିର୍ମାଣ।


କ୍ରମଶଃ------

*କୃତିବାସ ପୁର----ଭୁବନେଶ୍ବରଠାରେ କପିଳେନ୍ଦ୍ରଦେବଙ୍କ ଦ୍ୱାରା ସ୍ଥାପିତ ରାଜଧାନୀର ନାମ କୃତିବାସ ପୁର ଥିଲା।

(କିମ୍ବଦନ୍ତୀ ଅନୁଯାୟୀ ପୁରୁଷୋତ୍ତମ ଦେବଙ୍କ ରାଜଗାଦିପ୍ରାପ୍ତିରେ ଈର୍ଷାନ୍ୱୀତ ହୋଇ ତାଙ୍କର ଅଠର ଭାଇ ଜ୍ୟୋଷ୍ଠଭାଇ ହମ୍ବିର ଦେବଙ୍କ ଦ୍ୱାରା ପ୍ରରୋଚିତ ହୋଇ ପୁରୁଷୋତ୍ତମଙ୍କୁ ଆକ୍ରମଣ କରିଥିଲେ।ମାତ୍ର,ସେମାନଙ୍କର ଭାଲ ଇତସ୍ତତ ଉଡିଯାଇଥିଲା।ଏହା ଜଗନ୍ନାଥଙ୍କର କୃପାଥିଲା ବୋଲି ବିଶ୍ଵାସ)


Rate this content
Log in