ପରିତ୍ୟକ୍ତ
ପରିତ୍ୟକ୍ତ
ଗଢିଥିଲି ପ୍ରେମବୋଳା କରକମଳରେ କଳ୍ପନାର ଇନ୍ଦ୍ରପ୍ରସ୍ଥ
କିଏ ଜାଣିଥିଲା
କୁଟୀଳ ଶକୁନୀର ଚକ୍ରାନ୍ତରେ
ପାପିଷ୍ଟ ଦୁର୍ଯ୍ୟୋଧନ ରୂପୀ ବିପର୍ଯ୍ୟୟଟା
ଧ୍ୱସ୍ତ ବିଧ୍ୱସ୍ତ କରିଦେବ ମୋ ସ୍ୱପ୍ନର ଅମରାବତୀ
ନିଃଶବ୍ଦ କରିଦେବ ମୋ ସପ୍ତଶ୍ଚର୍ଯ୍ୟ ତାଜମହଲ
ଭାଙ୍ଗିଦେବ ଗଜଦନ୍ତ ପଲଙ୍କର ଶଯ୍ୟା
ସାଥି କରି ଦୁର୍ଦ୍ଦିନର ଖଟିଆ
ତୋଫା ଦେଇ ପରିତ୍ୟକ୍ତ କବରଖାନା ।
ଭାବିଥିଲି ଅଜର,ଅମର ସମ
ଶୋଭା ପାଉଥିବ
ମୋ ଦିବ୍ୟସୁନ୍ଦର ଚେହେରା
କିଏ ଜାଣିଥିଲା
ବାର୍ଦ୍ଧକ୍ୟ, ଦୁର୍ଘଟଣା ଅବା ବିପର୍ଯ୍ୟୟର ଶିକାରରେ ଖୀନ ଭିନ ହୋଇ
ପାଲଟିଯିବ ଏକ ଦୁର୍ଗନ୍ଧ,କୁତ୍ସିତ,ନିର୍ଜୀବ ଶବ
ହେବ ଶାଗୁଣା,ବିଲୁଆ କି କାଉର ସୁଷମ ଖାଦ୍ୟ
ସାଜି ବାସ୍ତବ ପରିତ୍ୟକ୍ତ ଶରୀର।
ଦେଖୁଥିଲି ବର୍ଣ୍ଣହୀନ ଗନ୍ଧହୀନ
ପବନରେ ଭରପୁର ବାୟୁମଣ୍ଡଳଟା
ମୋ ପରିବେଷ୍ଟନୀ ଚତୁର୍ପାଶ୍ୱରେ କରିବ ଆବର୍ତ୍ତନ
ସଜ ସଜ ପରଶରେ ଭରିଦେଵ
ନବ ନବ ସୂକ୍ଷ୍ମ ଅନୁଭବ
କିଏ ଜାଣିଥିଲା
ଏ ନିର୍ମମ,ନୃଶଂସ,ଅବିବେକୀ ପ୍ରକୃତିର ତାଣ୍ଡବଲୀଳା
ସଜାଇବ ତାକୁ ବିଷାକ୍ତ ଦୂଷିତ ଦୁର୍ଗନ୍ଧ
କରିବ ରୋଗାକ୍ରାନ୍ତ, ମୁମୂର୍ଷୁ,ମରଣର ସଜ୍ଜା
ହସି ହସି ଅର୍ପଣ କରିବ କାନ୍ଦ
ଦେଇ ଜୀବନ୍ତ ସମାଧି
ସଜାଇ ପରିତ୍ୟକ୍ତ ଅଦୃଶ୍ୟ ବାୟୁମଣ୍ଡଳ।