ଦୁଃଖରେ ଦୂରେଇ ଗଲି
ଦୁଃଖରେ ଦୂରେଇ ଗଲି
ମନ୍ଦିରକୁ ତୁମ ସୁରକ୍ଷିତ କରି
ହେଲି ନିଜେ କଳଙ୍କିତ ।
ମଶାଣିର ଫୁଲ ଭାବିନେଇ ମୋତେ
କରିଦେଲ ବହିଷ୍କୃତ ।
ଜାଗର ରାତିରେ ଜାଗ୍ରତ ପ୍ରହରୀ
ହୋଇ ମୁଁ ନିରେଖୁ ଥିଲି ।
ଶେଷ ପ୍ରହରରେ ପ୍ରହାର ପାଇଲି
ଦୁଃଖରେ ଦୂରେଇ ଗଲି ।
ଅଜଣା ବନ୍ଧୁଙ୍କୁ ସ୍ଵକୀୟ ସେବାରେ
ସୁବର୍ଣ୍ଣ ସୁଯୋଗ ଦେଲ ।
ଆପଣା ମଣିଷ କରି ରଖିଥିଲ
ସାତ ପର କରି ଦେଲ ।
ଶୁଣିଥିଲି ଶାସ୍ତ୍ରେ ଲେଖା ହୋଇଅଛି
ଭକ୍ତ ଶିରୋମଣି ତୁମେ ।
ଭକ୍ତି ଭାବେ ଯେବେ ଭକତ ଖୋଜଇ
ସ୍ୱର୍ଗ ଲଭେ ତୁମ ଧାମେ ।
ଆହେ ଚିନ୍ତାମଣି ଶାନ୍ତିର ଛାଉଣୀ
ବିଶ୍ୱ ପାଇଁ ଚିନ୍ତା କର ।
ମୋ'ବେଳକୁ ବନ୍ଧୁ ଛଳନାର ସିନ୍ଧୁ
ନିର୍ବାକ ଜଳନ୍ଧର ।
ପାତର ଅନ୍ତର ତୁମରି ବେଭାର
କେବେ ମୁଁ ଭାବି ନ ଥିଲି ।
ନିଜର ଆଖିକୁ ପରତେ ହେଉନି
ଆଜି ମୁଁ ଯାହା ଦେଖିଲି ।
ମୋ' ଭକତି ଭାବ କଲା କି ଅଭାବ
ଭାବି ବି ପାରୁନି ଭାବି ।
ଭାବିଥିଲି ଭବୁ ଛାଡି ଦେଇ ସବୁ
ତୁମ ଚରଣେ ରହିବି ।
ନୟନରୁ ନୀର ବହେ ଝର ଝର
ଭାବି ତୁମ ପାଷାଣତା ।
ପାଷାଣ ପ୍ରାଣରୁ ପଡି ପଡି ଯାଏ
ଭାଷାହୀନ ଭଙ୍ଗୁରତା ।
ହେ ଈଶ୍ଵର,ତୁମେ ନିୟନ୍ତା ବିଶ୍ଵର
ମୁଁ ସୁକ୍ଷ୍ମାତିସୂକ୍ଷ୍ମ ଅଣୁ ।
ଛାଇ ପରି ଆସି ଦେଖି ଯାଅ ହସି
ମୋ'ବକ୍ଷ ବେଦନା ରେଣୁ ।
ଗର୍ଭ ଗୃହେ ତୁମେ ଶାନ୍ତିରେ ଶୋଇଛ
ମୁଁ ରାସ୍ତାର ଧାରେ ଧାରେ ।
ତୁମରି ଚିନ୍ତନ ତୁମରି କୀର୍ତ୍ତନ
କରି ନିତି ଝୁରି ମରେ ।