ପୁରୁଷୋତ୍ତମ ଦେବ (5)
ପୁରୁଷୋତ୍ତମ ଦେବ (5)
(ଐତିହାସିକ କାବ୍ୟାଂଶ)
--------------------------
ନୀଳାଦ୍ରିରେ ନେତ ଉଡେ ଫର ଫର,
ସମୁଦ୍ରେ ଝଡ ପ୍ରଚଣ୍ଡ,
ଘୋର ଘନଘଟା ଆକାଶେ,ଉତ୍ତୁଙ୍ଗ-
ଲହରୀ ପିଟୁଛି ମୁଣ୍ଡ।
ଗଜପତି ରାଜବଂଶ ଝଡଆଗେ
ଏ ଝଡ ଅତି ନଗଣ୍ୟ,
ବାରବାଟୀ ଦୁର୍ଗେ ଶୁଭିଲାଣି,ହାତୀ-
ପିଙ୍କାର,ସୈନ୍ୟ ଗର୍ଜନ।
ପ୍ରତି ଗ୍ରାମେ ଗ୍ରାମେ ଓଡିଆ ପାଇକେ
କରନ୍ତି ରଣ ଅଭ୍ୟାସ,
ଗୋଟିଏ ଡାକରେ ବାହାରି ପଡିବେ
ଶତ୍ରୁ କରିବାକୁ ଶେଷ।
ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା
ଉତ୍କଳର ଅଭିମାନ,
ଠାକୁର ରାଜାଙ୍କ ଦେହେ ହାତ ଦେବ
କିଏ ବା ଅଛି ଏସନ?
ବାରବାଟୀ ଦୁର୍ଗେ ସଇନେ ସମ୍ବୋଧି
ବୋଇଲେ ପୁରୁଷୋତ୍ତମ,
"ବିଶାଳ ବାହିନୀ ଘେନିଣ ହମ୍ବିର
ଆସୁଛନ୍ତି ଝଡ ସମ।
ଭୀଷଣ ସଂଗ୍ରାମ ପାଇଁ ହୁଅ ସଜ
ବୀରପୁତ୍ରେ ଉତ୍କଳର,
ଦେଶମାତୃକାର ରକ୍ଷା ପାଇଁ ଶେଷ-
ରକ୍ତବିନ୍ଦୁ ଦାନକର।"
ଜାଗିଲେ ସଦର୍ପେ ଓଡିଆ ପାଇକେ
ରଣ ଦୁନ୍ଦୁଭି ବାଜିଲା,
ସେ ନାଦେ ଜଳଧି,ଅମ୍ବର,ପର୍ବତ-
ଗୁମ୍ଫା ପ୍ରକମ୍ପିତ ହେଲା।
ହମ୍ବିର ବାହିନୀ ଆସି ପହଞ୍ଚିଲେ
ପରଦିନ ପ୍ରଭାତରେ,
ସମୁଦ୍ର ସମାନ ଦୀର୍ଘ ସେନାଶ୍ରେଣୀ
ଥିଲେ କୁମାର ପଛରେ।
ଗହ ଗହ ନାଦେ କମ୍ପେ ରଣାଙ୍ଗନ
ହାତୀ ପିଙ୍କାରେ ଆକାଶ,
ଅସ୍ତ୍ରର ଝନ୍ ଝନି ଅଶ୍ୱ ହ୍ରେସାରବ
ମନେ ଭରିଦିଏ ତ୍ରାସ।
ପ୍ରଭାତ ଉଜ୍ଜଳ କୀରଣେ ଝଲକେ
ଅସି,ସାଂଜୁ ,ଶୀରସ୍ତ୍ରାଣ,
ଶତ୍ରୁ ବକ୍ଷେ ଲକ୍ଷକରି କେହୁଧାଏଁ
ତୋଳି ଉନ୍ମୁକ୍ତ କୃପାଣ।
ଦୁଇଥାଟ ହେଲେ ଆହବ ପ୍ରାଙ୍ଗଣେ
ହଣାହଣି ମହାକୋପେ,
ପଛଘୁଂଚା ଦେଲେ ହମ୍ବିର ବାହିନୀ
ଗଜପତି ସେନା ଧାପେ।
କୋଣ୍ଡାବିଡୁ ଦୁର୍ଗେ ପୁଣି ଫେରିଯାଇ
ହମ୍ବିର ଆଶ୍ରୟ ନେଲେ,
କଣ୍ଟକେ କିପରି କଣ୍ଟକ କାଢିବେ
ସେ ଚିନ୍ତାରେ ମଗ୍ନ ହେଲେ।
ପଡୋଶୀ ରାଇଜେ ଏ ସମ୍ବାଦ ବ୍ୟାପି-
ଗଲା ଦାବାନଳ ପ୍ରାୟ,
ଝାମ୍ପି ନେବାପାଇଁ ରହିଲେ ଅନାଇଁ
ଶତ୍ରୁ ସୁଯୋଗ, ସମୟ।
ଲଢା ଲଢି ଗଡା ଗଡି ହେଉଥିଲେ
ଉତ୍କଳର ଭାଇ ଭାଇ,
ପଡୋଶୀ ରାଇଜ ଶତ୍ରୁ ହସୁଥିଲେ
ମୁଖରେ ବସନ ଦେଇ।
କ୍ରମଶଃ----