ତୋ ବକ୍ଷ ଲାବଣ୍ୟପୁର
ତୋ ବକ୍ଷ ଲାବଣ୍ୟପୁର
ଦୁଷ୍ଟ ବୋଲି ମୋତେ କହିବନି ମାତା
ଲହୁଣୀ ସିନା ମୁଁ
ଚୋରି କରିଛି ।
ଲହୁଣୀ ଭିତରେ ତୁମ ପଣତର
ଅଦେଖା ମମତା
ଦେଖି ପାରୁଛି ।
ଲହୁଣୀ ନୁହେଁ ସେ ତୋ'ନୟନ ଝରା
ନରମ ନରମ
ଲୁହର ଧାର ।
ସେ ଲୁହରେ ଲୁଚି, ପ୍ରେମ ତ ରହିଛି
ବାତ୍ସଲ୍ୟ ମମତା
ରୂପ ତାହାର ।
ବାତ୍ସଲ୍ୟ ପ୍ରେମ ସେ ନୁହେଁ ଲୋ ଜନନୀ
ମୃଦୁ ମାତୃତ୍ୱର
ଦିବ୍ୟାନୁଭବ ।
ସେଇ ଅନୁଭବ ଅଲିଭା ଗୌରବ
ଜଗତକୁ ଦିଏ
ସୁଧା ସୌରଭ ।
ସୁଧା ଧାରା ଆଉ ଖୋଜିବି କାହିଁକି
ତୋ'ଓଠରୁ ପରା
ଅମୃତ ଝରେ ।
ତୋ'ବକ୍ଷରେ ଯେବେ ନିଦ୍ରା ନିବେଦିତ
ଭାବେ ମୁଁ ଶୋଇଛି
ଲାବଣ୍ୟ ପୁରେ ।
ଲାବଣ୍ୟ ପୁର କି ସ୍ୱର୍ଗ ପାରିଜାତ
ନାହିଁ ଲୋ ଜନନୀ
ଏ ଜନମରେ ।
ତୁ ନିଜେ ଲାବଣ୍ୟ ତୋ'ଭାବ ହିରଣ୍ୟ
ସ୍ୱର୍ଗ ଅନୁଭବେ
ତୋ'ପରଶରେ ।
ରଙ୍ଗ ବେରଙ୍ଗର ପ୍ରେମ ମୁଁ ଦେଖିଛି
ତୋ'ପ୍ରେମର ରଙ୍ଗ
ଚିର ଶାଶ୍ୱତ ।
ସେ ପ୍ରେମର ପରା ରଙ୍ଗଟି ନିଆରା
ରୂପ ତୁ କଳ୍ପିଛୁ
ଦେଇ ରକତ !
ବନ୍ଧନ ରହିଛି ଅନେକ ଡୋରୀର
ସ୍ଵର୍ଗୀୟ ବନ୍ଧନ
ମାଆ ପୁଅର ।
ସୂତାରେ ସୂତାରେ ଡୋରୀରେ ଡୋରୀରେ
ଅଛିଣ୍ଡା ଅଲିଭା
ବନ୍ଧନ ଗାର ।
ମନ୍ଦିର କାହିଁକି ଯିବି ଲୋ ଜନନୀ
ତୋ'କୋଳ ମୋ ପାଇଁ
ତ୍ରିବେଣୀ ତୀର୍ଥ ।
ତୋ'ରି ଅଭିଶାପ ଆଶୀର୍ବାଦ ହୋଇ
ମୋ'ଜନ୍ମ ଜାତକେ
ଢାଳେ ଅମୃତ ।
ନାରୀ ତୁ ବୈଦେହୀ,ତୁ ପୁଣି କୈକେୟୀ
ଗାନ୍ଧାରୀ ଗୌତମୀ
ରୂପ ଅନେକ ।
ଜନନୀ ରୂପରେ ସ୍ୱୟଂ ସଂପୂର୍ଣ୍ଣ ତୁ
ସାର୍ଥକ ସ୍ଵରୂପ
ତୋ'ରି ନାରୀତ୍ଵ ।