ଭେଦଭାବ ହରା
ଭେଦଭାବ ହରା
1 min
6.8K
ଇଏ କି ଆରତ ମୋ ଦେଶ ଭାରତ
ଅଖଣ୍ଡ ରହିଛି କହି
ବିଚରି ଜଗତ ବୋଲାଅ ଭଗତ
ଏତେ ଭେଦଭାବ ବହି ।
ଯାଇନି ତ ଭୁଲି ଦେଶ ସାରା ବୁଲି
ଦେଖିଲି ବିବିଧ କର୍ମ
ଐକ୍ୟଭାବ ଟାଳି ହିଂସା ଦ୍ଵେଷ ଜାଳି
ପ୍ରସାର ଆପଣା ଧର୍ମ ।
ପତ୍ର ଫୁଲ ଯାକ ଗଛେ ରହି ତାଙ୍କ
କରୁଥାନ୍ତି ନିଜ କାମ
ସେହି ମତେ ଏକ ନରହି କି ଟେକ
ଥିବ କି ଜଗତେ ଆମ ?
ସବୁ ଥାଇ ଭିନ୍ନ ସୁଖେ ଯିବ ଦିନ
ପରସ୍ପରେ ହେଲେ ସାହା
ଦୁଃଖୀ ଆଉ ଦୀନ ରହିବେନି ହୀନ
ବଢାଇ ଥିଲେ ଏ ବାହା ।
ଏତେ ବଡ ଦେଶ କେତେ ଭାଷା ବେଶ
ବିଭିନ୍ନ ପ୍ରାନ୍ତରେ ଥାଇ
ରହିବ କି ଲେଶ କୁଟୁମ୍ବରେ କ୍ଳେଶ
ସମାଦରେ ଥିଲେ ଭାଇ ?
ବିଦେଶୀ ଶାସକ ଏକତା ନାଶକ
ବୀଜ ରୋପିଛନ୍ତି ଯେତେ
ତା' ଫଳେ ପୋଷକ ସାଜିଛି ଶୋଷକ
ବ୍ୟୂହ ରଚାଇଣ ଏତେ ।
ବଞ୍ଚିବାର ପାଇଁ କର୍ମକ୍ଷେତ୍ରେ ଧାଇଁ
ଗରିବ ଚାଷୀ ଓ କୁଲି
ଖଟୁଥାନ୍ତି ଯାଇ ଯାହା ଗଣ୍ଡେ ଖାଇ
କୁଟୀରେ ନଜଳେ ଚୂଲି ।
କର୍ମ ତ ନଚଳେ ଜାତି ଧର୍ମ ବଳେ
ଏକଥା ନୁହେଁ କି ସତ
ପରିସ୍ଥିତି ଫଳେ ମହାରଥୀ ଟଳେ
ବିଦ୍ବେଷେ ନରହ ରତ ।
ଆମ ଦେଶ ପରା ବିବିଧତା ଭରା
ମନୋହର ଉପବନ
ହସୁଥିବ ଧରା ଭେଦଭାବ ହରା
ଥିଲେ ସିନା ଆମ ମନ ।
ପ୍ରସନ୍ନ କୁମାର ମାଦଳା