ମେଘ
ମେଘ
ବରଷା ଋତୁରେ ଆକାଶ ଦେହରେ
କଳା ମେଘ ଦେଖା ଯାଏ
କଳା ମେଘ ଦେଖି ପୁଛକୁ ମେଲେଇ
ମୟୂର ଯେ ନାଚୁଥାଏ ।
ଧୋବ ଫର ଫର ବଗ ବଗୁଲୀ ଯେ
ଡେଣା ଝାଡି ଉଡି ଯାନ୍ତି
ତଳେ ଥାଇ ପିଲେ ଆକାଶକୁ ଚାହିଁ
କଉଡିକୁ ମାଗୁଥାନ୍ତି ।
କଳା ଧଳା ବଉଦରେ ଆକାଶଟି
ଦେଖାଯାଏ କି ସୁନ୍ଦର
ବରଷା ଛାଡିଲେ ସୂରୁଯ ଆସିଲେ
ଦିଶେ କେଡେ ମନୋହର ।
ମେଘ ଦେହେ ଇନ୍ଦ୍ରଧନୁ ପଡି ଥାଏ
ସପ୍ତ ରଙ୍ଗରେ ସେ ଶୋହେ
ଝଲ୍ସି ଯାଏ ଆଖି ରହି ଥାଏ ଲାଖି
ସବୁରି ମନକୁ ମୋହେ ।
ଖଣ୍ଡ ଖଣ୍ଡ ଧଳା ବାଦଲ ଧାଅଁଇ
ଆଖି ନେଉଥାଏ ଟାଣି
ଆକାଶ ବକ୍ଷରେ କଳା ମେଘ ହେଇ
ଝରଇ ବରଷା ପାଣି ।
ଏଇ ମେଘ ଦେହେ ଦିନରେ ସୂରୁଯ
ପୂରୁବ ଦିଗରୁ ଉଏଁ
ପଶ୍ଚିମ ଆକଶେ ଅସ୍ତ ଯାଏ ଯେବେ
ମନ ହୃଦୟକୁ ଛୁଏଁ ।
କେଡେ ମନଲୋଭା ଅସ୍ତଗାମୀ ସୂର୍ଯ୍ୟ
ଲୋହିତ ବର୍ଣ୍ଣେ ବିଚିତ୍ର
ତନୁ ମନକୁ ସେ ହରଣ କରଇ
ହେଇଥାଏ କି ଚିତ୍ରିତ ।
ସନ୍ଧ୍ୟା ସମୟରେ ମେଘ ଆକାଶରେ
ସନ୍ଧ୍ୟା ତାରା ଆସି ଥାଏ
ଜହ୍ନ ସହିତରେ ତାରାର ଗହଣେ
କି ସୁନ୍ଦର ଦେଖା ଯାଏ ।
ମେଘ ବାଦଲରେ ଜହ୍ନ ଧାଉଁ ଥାଏ
କଳା ମେଘ ଦିଏ ଢାଙ୍କି
କ୍ଷଣିକ ଭିତରେ କରି ଅତିକ୍ରମ
ଜହ୍ନ ମାରେ ପୁଣି ଉଙ୍କି ।
ଘୋର ଗର୍ଜନର ମେଘର ରାତିରେ
ଶ୍ରୀକୃଷ୍ଣ ଜନମ ହେଲେ
କଳା ମେଘ ଦେହେ ବିଜୁଳି ଆଲୁଏ
ବସୁଦେବ ଯାଉ ଥିଲେ ।
ଉଗ୍ରସେନ ରାଜା ପଥ ଓଗାଳିଲେ
ମେଘରେ ବିଜିଜୁଳି ମାରେ
ଚତୁର୍ଦ୍ଧାମୂରତି ରୂପକୁ ଦେଖିଣ
ଶରଣ ଗଲେ ପୟରେ ।
ଏଇ ମେଘ ଯୋଗୁଁ ବୃଷ୍ଟି ହେଉଅଛି
ବୃଷ୍ଟିରୁ ଜଗତ ହସେ
ସବୁଜ ଶ୍ୟମଳେ ହସଇ ପୃଥିବୀ
କେଡେ ସୌନ୍ଦର୍ଯ୍ୟ ସେ ଦିଶେ ।
ଗଛ ଯୋଗୁଁ ସିନା ମେଘର ଦେହରୁ
ଝରଇ ବରଷା ପାଣି
ଏବେ ମେଘ ଗତି ବଦଳାଇ ଦିଏ
ନର ଦେଲା ଗଛ ହାଣି ।
ଲଗାଇବା ବୃକ୍ଷ ହସିବ ଜଗତ
ସୁନ୍ଦର ଦିଶିବ ମହୀ
ମେଘକୁ ଦେଖିବା ଆକାଶ ବକ୍ଷରେ
ମାଟି ମାଆ କୋଳେ ରହି ।
