ଅରକ୍ଷ ରକ୍ଷଣ
ଅରକ୍ଷ ରକ୍ଷଣ
ଆହା କି ଦିଶଇ ଶୋଭା
ବିଲକ୍ଷଣ ଜ୍ୟୋତିଯୁତ ରୂପକାନ୍ତି ବଡ ଶୋଭା
ରତ୍ନ ସିଂହାସନେ ବସି ଲାଗୁଛନ୍ତି ମନଲୋଭା ।
ଭାଇ ଓ ଭଉଣୀ ସଙ୍ଗେ
ବିରାଜମାନ ହୋଇଣ ସାଜିଛନ୍ତି କେତେ ରଙ୍ଗେ
ତୁଳସୀ ଦୟଣା ସହ ଆଭୂଷଣ ଶୋହେ ଅଙ୍ଗେ ।
କଟୀ ତଟେ ପୀତ ବାସ
ଚମକେ କୌସ୍ତୁଭ ମଣି ଝଲସି ହୃଦ ପାଶ
ଶଙ୍ଖ ଚକ୍ର ବେନି ଭୁଜେ କରନ୍ତି କଳୁଷ ନାଶ ।
କର୍ପୂର ଚନ୍ଦନ ବୋଳା
ହୃଦୟରେ ବିଷ୍ଣୁପ୍ରିୟା ମସ୍ତକେ କିରୀଟ ତୋଳା
ରଙ୍ଗାଧରେ ସ୍ମିତହାସ୍ୟ ଦର୍ଶନେ ଭକତ ଭୋଳା ।
ସୁନ୍ଦର ଦିଶୁଛ ଅତି
ତୁମ ରୂପେ ଚିତ୍ତ ମୋହି ବସିଛନ୍ତି କେତେ ଯତୀ
ସେ ରୂପ ଦର୍ଶନେ ମୋର ପ୍ରସନ୍ନ ହୋଇଛି ମତି ।
କରୁଣା ସାଗର ଯେଣୁ
ବଡଦାଣ୍ଡେ ଭକ୍ତଜନେ ଗହଳ ଲଗାନ୍ତି ତେଣୁ
ମନେ ଆଶା ଅସୁମାରି ପାଇବାକୁ କୃପା ରେଣୁ ।
ସଦୟ ନୋହିଲ ଯେବେ
କାହା ଆଗେ ଜଗନ୍ନାଥ କଷଣ କହିବି ତେବେ
ନେହୁରା ହେଉଛି ପ୍ରଭୁ ବିନତି ଶୁଣିବ କେବେ ?
ଅରକ୍ଷ ରକ୍ଷଣ ବୋଲି
ତୁମ୍ଭ ଶ୍ରୀପୟରେ ମୋର ଅଭିମାନ ଦେଲି ଖୋଲି
ଅନୁକ୍ଷଣେ ମହାବାହୁ ଶ୍ରୀଭୁଜେ ରଖ ହେ ତୋଳି ।
ପ୍ରସନ୍ନ କୁମାର ମାଦଳା